ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତିକ୍ଷାର ଅନ୍ତ ଘଟିଲା। ଓଡ଼ିଶାରେ ପହଞ୍ଚିଲା ବିଜୁ ବାବୁଙ୍କ ଡାକୋଟା ବିମାନ । ଆଜି ସକାଳେ ଜଳେଶ୍ୱର ଲକ୍ଷ୍ମଣନାଥ ଠୋଲ୍ ଗେଟରେ ପହଞ୍ଚିଥିଲା । ଗତକାଲି ସଂଧ୍ୟାରେ କୋଲକାତା ଛାଡିଥିଲା ବିମାନ । କୋଲକାତାର ଦମଦମ୍ ବିମାନ ବନ୍ଦରରୁ ୩ଟି ଟ୍ରେଲରରେ ଡାକୋଟା ବୋଝେଇ ହେବା ପରେ ଓଡ଼ିଶା ଅଭିମୁଖେ ବାହାରିଥିଲା । ଆଜି ସଂଧ୍ୟା ସୁଦ୍ଧା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବ ବୋଲି ଜଣାପଡ଼ିଛି । କୋଲକାତା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ସୁରକ୍ଷା ବଳୟ ଯୋଗାଇ ଦେଇଥିଲେ ।
ଓଡ଼ିଶା ସୀମା ପହଞ୍ଚିବା ପରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ୱରରେ ପହଞ୍ଚିବ । ଓଡ଼ିଶା ପୋଲିସର କଡ଼ା ସୁରକ୍ଷାରେ ଡାକୋଟା ବିମାନ ଭୁବନେଶ୍ୱର ଅଣାଯିବ । ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଡାକୋଟାର ଯାଞ୍ଚ କରିବେ । ଏହା ପରେ ଯନ୍ତ୍ରୀ ମାନଙ୍କର ଏକ ଟିମ୍ ଏହାକୁ ଫିଟିଂ କରିବେ । ଡାକୋଟାକୁ ତାର ମୂଳ ଅବସ୍ଥାକୁ ଅଣାଯିବ । ଏଥିପାଇଁ ପ୍ରାୟ ୧ ମାସ ସମୟ ଲାଗିବ ବୋଲି କୁହାଯାଉଛି ।