ଆଳୁ ଦରରେ ଲାଗିଛି ନିଆଁ, କିଲୋ ପିଛା ୫୦ ଟଙ୍କା
ଗତ କିଛି ଦିନ ଧରି ପରିବା ଦର କଲବଲ କରୁଥିବା ବେଳେ ଏବେ ରାଜ୍ୟବାସୀଙ୍କୁ ଟେନସନ୍ ଦେଲାଣି ଆଳୁ। ଆଳୁ ଦରରେ ଲାଗିଛି ନିଆଁ । ହୁହୁ ହୋଇ ବଢ଼ି ଚାଲିଛି ଦର। ଆଳୁ ଦର ଏବେ ହାଫ ସେଞ୍ଚରୀ ପାର୍ କରି ସାରିଲାଣି। ଅର୍ଥାତ କିଲୋ ପିଛା ଦାମ ୫୦ ଛୁଇଁଲାଣି।
ଆଳୁ ଦର ଏବେ ଉପରମୁହାଁ ଥିବା ବେଳେ ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ । ସୀମାରେ ଅଟକି ରହିଛି ଶହ ଶହ ଗାଡ଼ି। ଏପରି ସ୍ଥିତିର ମୁକାବିଲା କରିବା ନିମନ୍ତେ ଉତ୍ତରପ୍ରଦେଶରୁ ଆଳୁ ମଗାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଗତ ୫ ଦିନ ଧରି କଟକ ଛତ୍ର ବଜାରକୁ ଆଳୁ ଟ୍ରକ୍ ଆସିନି। ପ୍ରତିଦିନ କଟକ ଛତ୍ରବଜାରରୁ ୮ରୁ ୯ ଟ୍ରକ୍ ଆଳୁ ଆସିଥାଏ। ଆଜି ଗୋଟିଏ ଟ୍ରକ୍ ଆସିଛି। ଫଳରେ ଆଳୁ ନେବାକୁ ଛତ୍ରବଜାରରେ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଭିଡ଼ ସାଙ୍ଗକଚ ଛକାପଞ୍ଝା ଦେଖିବାକୁ ମିଳିଥିଲା।
କିଛି ଦିନ ପୂର୍ବେ କିଲୋ ପିଛା ୩୫ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୫୦ ଟଙ୍କାରେ ପହଞ୍ଚିଛି। ଛତ୍ରବଜାରରେ ଆଳୁ କିଲୋ ପିଛା ୫୦ ଟଙ୍କା ଥିବା ବେଳେ ଖୁଚୁରା ମାର୍କେଟରେ ତାହା ୬୦ ଟଙ୍କାରେ ବିକ୍ରି ହେଉଥିବା କହିଛନ୍ତି ବ୍ୟବସାୟୀ।
ଆଳୁର ଏ ଅହେତୁକ ଦର ବୃଦ୍ଧି ପରେ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମକୁ ଯାଇ ସ୍ଥିତି ଯାଞ୍ଚ୍ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏବେ ଯେତିକି ଆଳୁ ମହଜୁଦ ଅଛି, ତାହା ସାତ ଦିନ ଯାଏଁ ରାଜ୍ୟରେ ଆଳୁ ଚାହିଦାକୁ ପୂରଣ କରିପାରିବ। ଆବଶ୍ୟକ ପଡ଼ିଲେ ଉତ୍ତରପ୍ରଦେଶରୁ ଆମଦାନୀ କରାଯିବ ।
ଏଥିସହ ସେ ପୂର୍ବ ସରକାରଙ୍କ ଯୋଗୁଁ ମଧ୍ୟ ରାଜ୍ୟରେ ଦର ବୃଦ୍ଧି ହେଉଥିବା କହିଲେ । ଆଳୁ, ପିଆଜ ଉତ୍ପାଦନ ସହ ଶୀତଳ ଭଣ୍ଡାର ହୋଇନଥିବାରୁ ଏପରି ସ୍ଥିତି ଉପୁଜିଥିବା କହି ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି।