କର୍କଟ ରୋଗୀଙ୍କ ପାଇଁ ନୂଆ ଆଶା ଆଣିଲା ରୁଷ; କ୍ୟାନସର ପାଇଁ ପ୍ରସ୍ତୁତ ହେଲା ଟିକା
କର୍କଟ ରୋଗ ବିରୋଧ ଲଢ଼େଇରେ ସମଗ୍ର ବିଶ୍ୱ ପାଇଁ ଏକ ନୂଆ ଆଶାର କିରଣ ସୃଷ୍ଟି ହୋଇଛି । ରୁଷିଆ କ୍ୟାନସର ପାଇଁ ନିଜର ଏମଆରଏନଏ ଟିକା ବିକଶିତ କରିଛି, ଯାହା ୨୦୨୫ ପ୍ରାରମ୍ଭରେ ଲଞ୍ଚ ହେବ । ଏହି ବୈପ୍ଳବିକ ଟିକାକୁ ରୋଗୀଙ୍କୁ ମାଗଣାରେ ଉପଲବ୍ଧ କରାଇବାକୁ ଘୋଷଣା କରାଯାଇଛି । ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ ରିସର୍ଚ୍ଚ ସେଣ୍ଟରର ଜେନେରାଲ ଡାଇରେକ୍ଟର ଆଣ୍ଡ୍ରେ କାପ୍ରିନ ଏହି ଘୋଷଣା କରିଛନ୍ତି ।
ରୁଷୀୟ ନ୍ୟୁଜ୍ ଏଜେନ୍ସି ଟାସ୍ ଅନୁଯାୟୀ, ଏହି ଟିକା କର୍କଟ ଚିକିତ୍ସାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ । ଗାମାଲେୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଆଲେକଜାଣ୍ଡର ଗିଣ୍ଟସବର୍ଗ କହିଛନ୍ତି ଟିକାର ପ୍ରି-କ୍ଲିନିକାଲ ପରୀକ୍ଷଣ ସମୟରେ ଏହା ଦେଖାଯାଇଛି ଯେ ଏହା ଟ୍ୟୁମର ବୃଦ୍ଧି ଏବଂ ମେଟାଷ୍ଟାସିସ୍ ବା କର୍କଟ ବ୍ୟାପିବା ରୋକିବାରେ ପ୍ରଭାବଶାଳୀ ।
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଚଳିତ ବର୍ଷ ପ୍ରାରମ୍ଭରେ କହିଥିଲେ ଆମେ ଏକ ନୂତନ ପିଢ଼ିର କର୍କଟ ଟିକା ଏବଂ ଇମ୍ୟୁନୋମୋଡୁଲେଟରୀ ଔଷଧର ବିକାଶର ଅତି ନିକଟରେ ପହଞ୍ଚିଛୁ । ରୁଷିଆର ଟିକା ବିଶେଷଜ୍ଞ ଗିଣ୍ଟସବର୍ଗ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ସହାୟତାରେ ବ୍ୟକ୍ତିଗତ କ୍ୟାନସର ଟିକା ତିଆରି ପ୍ରକ୍ରିୟା ଘଣ୍ଟା ଘଣ୍ଟା ମଧ୍ୟରେ ଶେଷ ହୋଇପାରିବ । ବର୍ତ୍ତମାନ ସମୟରେ, ଏହି ପ୍ରକ୍ରିୟା ଲମ୍ବା ଏବଂ ଜଟିଳ, କାରଣ ଏଥିରେ ଗାଣିତିକ ପଦ୍ଧତି ବ୍ୟବହାର କରାଯାଏ । କିନ୍ତୁ ଏଆଇ ଏବଂ ନ୍ୟୁରାଲ ନେଟୱାର୍କ କମ୍ପ୍ୟୁଟିଂ ସାହାଯ୍ୟରେ ଏହାକୁ ମାତ୍ର ୩୦ ମିନିଟରୁ ୧ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ କରାଯାଇପାରିବ ।
କର୍କଟ ରୋଗର ଚିକିତ୍ସାରେ ଟିକା ରୋଗ ପ୍ରତିରୋଧକ ଶକ୍ତିକୁ କର୍କଟ କୋଷକୁ ଚିହ୍ନଟ କରି ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଥେରାପ୍ୟୁଟିକ୍ କ୍ୟାନସର ଟିକା ବିଶେଷ କରି ଟ୍ୟୁମର କୋଷରୁ ପ୍ରୋଟିନ୍ କିମ୍ବା ଆଣ୍ଟିଜେନକୁ ଟାର୍ଗେଟ କରି ଶରୀରର ପ୍ରାକୃତିକ ପ୍ରତିରକ୍ଷା ପ୍ରଣାଳୀକୁ ଟ୍ୟୁମରକୁ ଦୂର କରିବାରେ ସକ୍ଷମ କରିଥାଏ । ଏହାବ୍ୟତୀତ ଏଚପିଭି ଟିକା ଭଳି ପ୍ରତିଷେଧକ ଟିକା ଭୂତାଣୁ ସହ ଜଡିତ କର୍କଟ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ ।