ଟ୍ରେନ ଟ୍ରାଜେଡି; ଭଙ୍ଗା ହେଲା ମୃତ ଦେହ ରଖା ଯାଇଥିବା ସ୍କୁଲ

0

ବାଲେଶ୍ୱର : କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଏବେ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ଘାରିଛି। ଦିନ ଦିପହ‌ରେ ବି ସେଠାକୁ ଏକୁଟିଆ ଯିବାକୁ ଡରୁଛନ୍ତି। ସ୍କୁଲ ପରିସରକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯିବା ସହ ରକ୍ତ ଜୁଡୁବୁଡ଼ୁ ଚଟାଣକୁ ବ୍ଲିଚିଂ, ଫିନାଇଲରେ ଶୋଧନ କରାଯାଇଥିଲେ ହେଁ କାହା ମନରୁ ଭୟ ହଟୁନି। ଏଭଳି ପରିସ୍ଥିତିରେ ସ୍କୁଲକୁ ପିଲାମାନଙ୍କୁ ଛାଡ଼ିବା ଲାଗି ଅଭିଭାବକମାନେ ଅମଙ୍ଗ ହେଲେଣି। ତେଣୁ, ଶବ ରହିଥିବା ଏହି ହାଇସ୍କୁଲର ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯାଇପାରେ ବୋଲି ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କହିଛନ୍ତି।

ଗୁରୁବାର ଦିନ ପ୍ରାୟ ସାଢ଼େ ୧୨ଟାରେ ଜିଲ୍ଲାପାଳ ଶ୍ରୀ ସିନ୍ଦେ ଓ ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ବାହାନଗା ହାଇସ୍କୁଲରେ ପହଞ୍ଚି ମୃତଦେହ ରଖାଯାଇଥିବା ସ୍ଥାନ ଅନୁଧ୍ୟାନ କରିବା ସହ ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। କଥାବାର୍ତ୍ତା ପରେ ଜିଲ୍ଲାପାଳ ଶ୍ରୀ ସିନ୍ଦେ କହିଛନ୍ତି, ଅଞ୍ଚଳବାସୀ ତଥା ଅଭିଭାବକମାନଙ୍କ ଭାବାବେଗକୁ ସମ୍ମାନ ଜଣାଇ ସ୍କୁଲ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ। ନିକଟରେ ୫-ଟି ଯୋଜନାରେ ଏହି ହାଇସ୍କୁଲର ନବୀକରଣ କରାଯାଇଥିଲା। ତେବେ ମୃତଦେହ ରଖାଯାଇଥିବା ସେହି ପୁରୁଣା ଶ୍ରେଣୀଗୃହଗୁଡ଼ିକୁ ଭଙ୍ଗାଯାଇ ପୁଣିଥରେ ନୂତନ କୋଠା ତିଆରି କରାଯିବ। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ଓ ସରକାରଙ୍କ ନିଷ୍ପତ୍ତି ଅନୁସାରେ କାମ ହେବ ବୋଲି ସେ କହିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସୂତାର କହିଥିଲେ, ସପ୍ତାହେ ପରେ ଖରାଛୁଟି ସରିବ। ରେଳ ଦୁର୍ଘଟଣାରେ ସବୁ ମୃତଦେହ ଭୁବନେଶ୍ୱର ସ୍ଥାନାନ୍ତର କରାଯିବା ପରେ ହାଇସ୍କୁଲ ପରିସରକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇଛି।

Leave A Reply

Your email address will not be published.