BJP ସରକାରକୁ ପୂରିଛି ୧୦୦ ଦିନ: ସଫଳତା ବଖାଣିଲେ ମନମୋହନ

0

ଭୁବନେଶ୍ୱର(ଆମ ଟିଭି): ଦୀର୍ଘ ୬୦ ବର୍ଷ ପରେ ଏକମାତ୍ର ନେତା ଭାବେ ନରେନ୍ଦ୍ର ମୋଦି ୩ୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏକ କ୍ଷୁଦ୍ର ଗ୍ରାମରେ ଜନ୍ମ ନେଇ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷର ନେତୃତ୍ୱ ନେଉଥିବା ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଓ ବିକାଶ କାର୍ଯ୍ୟ ପାଇଁ ଦେଶର ରାଜନୀତିରେ ସ୍ଥିରତାର ବାତାବରଣ ସମ୍ଭବ ହୋଇଛି। ଗତ ୧୦ ବର୍ଷରେ ବିଶ୍ୱର ୧୦ଟି ରାଷ୍ଟ୍ର ମୋଦିଙ୍କୁ ସେମାନଙ୍କ ‘ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ’ରେ ସମ୍ମାନିତ କରିଛନ୍ତି। ଏହା ଭାରତବାସୀଙ୍କୁ ଗୌରବାନ୍ବିତ କରିଛି।

ସେହିପରି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଭାଜପା ସରକାର ୧୦୦ ଦିନ ପୂର୍ତ୍ତି କରିବ। ନିର୍ବାଚନ ପୂର୍ବରୁ ଜନତାଙ୍କୁ ଦିଆଯାଇଥିବା ସଂକଳ୍ପକୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି। ରାଜ୍ୟବାସୀଙ୍କ ବିଶ୍ୱାସକୁ ନେଇ ଭାଜପା ସରକାର କାମ କରିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମନମୋହନ କହିଛନ୍ତି, ମୋଦି ଗତ ୧୦ ବର୍ଷରେ ଗରିବ ବାସହୀନଙ୍କୁ ପକ୍କାଘର, ଶୌଚାଳୟ, ଗ୍ୟାସ୍‌, ବିଜୁଳି, ୫ କେଜି ଚାଉଳ ଏବଂ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେଇଛନ୍ତି ା ଦୀନ୍‌ଦୟାଲ ଯୋଜନା ଅନ୍ତର୍ଗତ ୧୦ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସଙ୍ଗଠିତ କରାଯିବା ସହ ୯୦ ଲକ୍ଷରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଦୂତ ସାଜିଛନ୍ତି। ଏହାସହ ୧୧ ଲକ୍ଷ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଶ୍ୱକର୍ମା ଯୋଜନାକୁ ତ୍ୱରାନ୍ବିତ କରାଯାଇଛି।

ଯୁବକମାନଙ୍କ ପାଇଁ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି ଏବଂ ଏଥିରେ ଆସନ୍ତା ୫ ବର୍ଷରେ ୪.୧୦ କୋଟି ଯୁବକ ଉପକୃତ ହେବେ ା ଗତ ୧୦ ବର୍ଷରେ ପିଏମ୍‌ କିଷାନ ଯୋଜନା ଅନ୍ତର୍ଗତ ୯.୫ କୋଟି କୃଷକଙ୍କୁ ୨୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୨.୩୩ କୋଟି କୃଷକଙ୍କୁ ୩ ଲକ୍ଷ କୋଟି ଟଙ୍କା ବିତରଣ କରାଯାଇଛି ା ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାକୁ ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅନୁଦାନକୁ ଠିକ୍‌ ଭାବେ ବିନିଯୋଗକରି ଦେଶ ଓ ରାଜ୍ୟର ବିକାଶ କରାଯିବ ବୋଲି ମନମୋହନ କହିଛନ୍ତି।

Leave A Reply

Your email address will not be published.