ନୂଆଦିଲ୍ଲୀ (ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ୧୦୦ ଦିନରେ ପହଞ୍ଚିଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଶୁକ୍ରବାରକୁ ୧୦୦ ଦିନ ପୂରଣ କରିଛି । ସେପ୍ଟେମ୍ବର ୭ ତାରିଖରେ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ରାଜସ୍ଥାନରେ ପହଂଚିଛି । ଏହି କ୍ରମରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜୟପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ଅବସରରେ ରାଜସ୍ଥାନରେ ପାଇଲଟ ଓ ଗେହଲଟଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ ରାହୁଲ ବଡ ବୟାନ ଦେଇଛନ୍ତି । ୨୦୨୩ ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ରହିଛି । ଏନେଇ ସାମ୍ବାଦିକମାନେ ରାହୁଲ ଗାନ୍ଧୀଙ୍କୁ କିଛି ପ୍ରଶ୍ନ କରିଥିଲେ । ରାହୁଲ ଏହି ପ୍ରଶ୍ନକୁ ଏଡାଇ ଯାଇ କହିଥିଲେ କି ଏନେଇ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ପଚାରିଲେ ସେ ଉତର ଦେଇପାରିବେ। ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ କି ରାଜସ୍ଥାନ ବିଧାନସଭା ନିର୍ବାଚନ କଂଗ୍ରେସ କାହା ନେତୃତ୍ୱରେ ଲଢିବାକୁ ଯାଉଛି ?
ସେପଟେ ରାଜସ୍ଥାନ ସରକାରଙ୍କର କିଛି ଜନହିତକର ଯୋଜନା ଉପରେ ରାହୁଲ ଗାନ୍ଧୀ କହିଛନ୍ତି କି, ରାଜସ୍ଥାନ ସରକାରଙ୍କ ଚିରଞ୍ଜୀବ ଯୋଜନା ଲୋକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି । ଏହାସହ ସେ ସହରୀ ରୋଜଗାର ଯୋଜନାକୁ ମଧ୍ୟ ପ୍ରଶଂସା କରିଥିଲେ । ଏହାସହ ସେ କହିଥିଲେ କି ଜନତାଙ୍କର ମଧ୍ୟ କିଛି କିଛି ଅଭିଯୋଗ ରହିଛି, ହେଲେ ଆମର ନେତାମାନେ ଟିକେଧ୍ୟାନ ଦେଲେ ତାହା ସଫଳ ହେବ ଓ ରାଜସ୍ଥାନରେ ପୁଣି କଂଗ୍ରେସ ସରକାର ଗଠନ କରିବ । ଦଳର କର୍ମକର୍ତ୍ତାଙ୍କୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି କି, କଂଗ୍ରେସର କର୍ମୀମାନେ ରାଜରାସ୍ତାରେ ଲଢେଇ କରୁଛନ୍ତି ।