ଭୁବନେଶ୍ୱର (ଆମ ଟିଭି): ପୂର୍ବରୁ ଅନେକ ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜ କର୍ମ ଠାରୁ ଉର୍ଧ୍ଵକୁ ଯାଇ ମାନବିକତାର ପରିଚୟ ଦେଇଛନ୍ତି | ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଣୁପୁର ଡାକ୍ତରଖାନାରେ | ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ରକ୍ତହୀନତାରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବବିତା ଗୁରୁବାରୀ ଜରୁରୀକାଳୀନ ପରିସ୍ଥିତିରେ ଗୋଟିଏ ୟୁନିଟ ରକ୍ତ ଆବଶ୍ୟକ କରୁଥିଲେ |
ଏହି ସମୟରେ ପଦ୍ମପୁର ଡାକ୍ତରଖାନାରୁ ଏକ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ଗୁଣୁପୁର ଆସିଥିବାବେଳେ ବବିତାଙ୍କ ରକ୍ତ ଆବଶ୍ୟକତା ବିଷୟରେ ଜାଣିବାକୁ ପାଇଥିଲେ | ଏହି ଘଟଣା ଜାଣିବା ପରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ବିନୋଦ କୁମାର ସାହୁକାର ତୁରନ୍ତ ସେହି ରୋଗୀଙ୍କ ପାଇଁ ଗୋଟିଏ ୟୁନିଟ ରକ୍ତଦାନ କରି ଏକ ମୂଲ୍ୟବାନ ଜୀବନ ବଞ୍ଚାଇଥିଲେ | ଉକ୍ତ ମାନବୀୟ କାର୍ଯ୍ୟ ପାଇଁ ରୋଗୀଙ୍କ ସମ୍ପର୍କୀୟ ତଥା ଡାକ୍ତରଖାନା କର୍ତ୍ତୃପକ୍ଷ ବିନୋଦଙ୍କୁ ସାଧୁବାଦ ଜଣାଇଛନ୍ତି |