ମାଓବାଦୀଙ୍କ ଆକ୍ରମଣରେ ୧୧ଯବାନ ସହୀଦ

0

ନୂଆଦିଲ୍ଲୀ: ଛତିଶଗଡ଼ର ଦନ୍ତେୱାଡାରେ ମାଓବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ୧୦ଜଣ ଯବାନଙ୍କ ସହ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ଦନ୍ତେୱାଡାର ଅରନପୁରରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସକୁ ନେଇ ଯାଉଥିବା ଏକ ଗାଡି ଉପରକୁ ମାଓବାଦୀମାନେ ଆଇଡି ଦ୍ବାରା ଆକ୍ରମଣ କରିଥିଲେ। ହଠାତ ଏହି ଦୁର୍ଘଟଣା ଘଟିବାରୁ ଗାଡ଼ିରେ ଥିବା ୧୦ଜଣ ଡିଆରଜି ଯବାନ ଏବଂ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି।

ଏହି ଆକ୍ରମଣକୁ ନେଇ ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି ଯେ ମାଓବାଦୀମାନେ ଏଭଳି ଆକ୍ରମଣ କରି ବଞ୍ଚିଯାଇ ପାରିବେ ନାହିଁ। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମାଓବାଦୀମାନଙ୍କ ବିରୋଧରେ ଆମର ସଂଗ୍ରାମ ଶେଷ ପର୍ଯ୍ୟାୟରେ ଅଛି। ଯୋଜନାବଦ୍ଧ ଢ଼ଙ୍ଗରେ ମାଓବାଦୀମାନଙ୍କ ମୂଳପୋଛ ହେବ।

କୁହାଯାଉଛି ଯେ, ଏହି ଆକ୍ରମଣ ପରେ ଏବେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ତେବେ ଏହି ଘଟଣାକୁ ନେଇ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ, ଭୁପେଶ ବାଘେଲଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପ୍ରତ୍ୟେକ ଆକ୍ରମଣ ପରେ ବାଘେଲ ସମାନ କଥା କୁହନ୍ତି କିନ୍ତୁ କୌଣସି କଡ଼ା ପଦକ୍ଷେପ ନିଆଯାଉ ନାହିଁ। ଯେପର୍ଯ୍ୟନ୍ତ ରାଜ୍ୟ ସହ ସମନ୍ୱୟ ରକ୍ଷା କରି ମାଓବାଦୀଙ୍କ ବିରୋଧରେ ଅପରେସନ ନହୁଏ, ସେପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହେବ ନାହିଁ।

Leave A Reply

Your email address will not be published.