ମାୟାନଗରୀ ମୁମ୍ବାଇରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼, ୧୪ ମୃତ
ମାୟାନଗରୀ ମୁମ୍ବାଇରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼। ଘାଟକୋପର ଅଞ୍ଚଳରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ସେହିପରି ୭୦ରୁ ଅଧିକ ଆହତ ହୋଇଛନ୍ତି। ସୋମବାର ଅପରାହ୍ନରେ ହଠାତ୍ ଧୂଳି ଝଡ଼ ମାଡ଼ି ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ସେପଟେ ଏହି ବେଆଇନ୍ ହୋର୍ଡିଂ ଲଗାଇଥିବା ସଂସ୍ଥାକୁ ନୋଟିସ୍ ଜାରି ହୋଇଛି।
ଗତକାଲି ମୁମ୍ବାଇ ଆକାଶରେ ହଠାତ ମାଡ଼ି ଆସିଥିଲା ଘୂର୍ଣ୍ଣିଝଡ଼। କେହି କିଛି ବୁଝିବା ଆଗରୁ ଧୂଳିଝଡ଼ରେ ଅନ୍ଧକାରମୟ ହୋଇଯାଇଥିଲା ପୂରା ପରିବେଶ। ଏହି ଭୟଙ୍କର ଧୂଳିଝଡ଼ ପ୍ରଭାବରେ ଘାଟକୋପର ଅଞ୍ଚଳରେ ଏକ ବିଶାଳ ବିଲ୍ବୋର୍ଡ ଭାଙ୍ଗି ଏକ ପେଟ୍ରୋଲ ପମ୍ପ ଉପରେ ପଡ଼ି ଯାଇଥିଲା। ଫଳରେ ଏହା ତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିଲେ।
ଘଟଣାସ୍ଥଳରେ ତୁରନ୍ତ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବ୍ରୁହାନ୍ ମୁମ୍ବାଇର ମ୍ୟୁନିସିପାଲର ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ୮୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି। ସେମାନଙ୍କୁ ମଧ୍ୟରୁ ୩୧ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ୪୩ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।