ଭୁବନେଶ୍ୱର (ଆମ ଟିଭି): ଖଣ୍ଡଗିରି ଯାତ୍ରା ପାଇଁ ଯାତ୍ରା କମିଟି ମାନଙ୍କୁ ନୋଟିସ୍ ଜାରି କଲା କମିଶନରେଟ ପୋଲିସ୍ । ଆଜିଠାରୁ ଆରମ୍ଭ ହୋଇଛି ଖଣ୍ଡଗିରି ଯାତ୍ରା। ଦୀର୍ଘ ୯ ଦିନ ବ୍ୟାପି ହେବାକୁ ଥିବା ଏହି ମେଳା ପାଇଁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ଟି ନିୟମ ଜାରି କଲା ଖଣ୍ଡଗିରି ପୋଲିସ ।
ସେଗୁଡିକ ହେଲା କୌଣସି ପ୍ରକାର ନଗ୍ନ ନୃତ୍ୟ କିମ୍ବା ଉତ୍ତେଜକ ଦୃଶ୍ୟ ପରିବେଷଣ ନିଷିଦ୍ଧ କରାଯାଇଛି। ଗତ କିଛି ଦିନ ହେବ ଅଶ୍ଲୀଳ ନୃତ୍ୟୁକୁ ନେଇ ବିବାଦ ଦେଖାଯାଉଥିବା ବେଳେ ଖଣ୍ଡଗିରି ଯାତ୍ରାରେ ଏଭଳି ନୃତ୍ୟୁକୁ ନିଷିଦ୍ଧ କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି। ଏହାସହ ଯାତ୍ରା ପେଣ୍ଡାଲ ନିକଟରେ ୬ଟି ଏମର୍ଜେନ୍ସି ପ୍ରବେଶ ଓ ପ୍ରସ୍ଥାନ ପଥ ରଖାଯିବ। ପ୍ରାପ୍ତ ଲାଇସେନ୍ସରେ ନିର୍ଦ୍ଧାରିତ ଚୌକି ଠାରୁ ଅଧିକ ପକାଇ ପାରିବେନି। ଅଗ୍ନି ନିର୍ବାପକ ସରଞ୍ଜାମ ରଖିବା ସହ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ନିର୍ଦ୍ଧାରିତ ଶବ୍ଦର ତୀବ୍ରତା ଠାରୁ ଅଧିକ ଶବ୍ଦ ଯେପରି ନ ହେବ ଧ୍ୟାନ ଦେବେ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ଯାତ୍ରା କମିଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ଏହି ନିୟମାବଳୀର ଉଲ୍ଲଂଘନ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଅନ୍ୟପଟେ ଖଣ୍ଡଗିରି ମେଳାରେ ସୁରକ୍ଷା ଦୃଷ୍ଟିରୁ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜଣେ ଡିସିପି, ଜଣେ ଏସିପି, ୩ ଇନ୍ସପେକ୍ଟରଙ୍କ ସହ ୨୭ ଅଫିସର ମେଳା ଜଗିବେ। ସାଦା ପୋଷାକଧାରୀ ଗୋଟିଏ ପ୍ଲାଟୁନ ଭିଡ଼ ସ୍ଥାନରେ ପଇଁତରା ମାରିବେ। ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଉପରେ ସିସିଟିଭି ବନ୍ଦୋବସ୍ତ କରାଯାଇଛି ବୋଲି କହିଛନ୍ତି ଏସିପି ତାପସ ପ୍ରଧାନ।