ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀର ଡାର୍ଟି ଆଶ୍ରମ । ପାଠ ପଢାଇବା ଆଳରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବାବା । ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ଆଶ୍ରମର ମୁଖ୍ୟ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ଜଣେ କି ଦୁଇ ଜଣ ନୁହେଁ ୧୭ ଜଣ ଛାତ୍ରୀ ଆଣିଛନ୍ତି ଏହି ଅଭିଯୋଗ । ଶ୍ରୀ ଶୃଙ୍ଗେରୀ ମଠ ପରିସରରେ ଥିବା ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ ଅଭିଯୁକ୍ତ । ଆଉ ଏଠାରେ ପଢୁଥିବା ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥୀ ।
ଅପମାନଜନକ ଭାଷା କହିବା, ଅଶ୍ଳୀଳ ହ୍ୱାଟ୍ସଆପ୍ ଏବଂ ଟେକ୍ସଟ୍ ମେସେଜ୍ ପଠାଇବା ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖୁଥିଲେ । ଏପରିକି କିଛି ମହିଳା ଅଧ୍ୟାପକ ଏବଂ ପ୍ରଶାସକ ଅଭିଯୁକ୍ତଙ୍କ କଥା ମାନିବା ପାଇଁ ଛାତ୍ରୀଙ୍କ ଉପରେ ଚାପ ପକାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ୩୨ ଜଣ ମହିଳା ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସେଥିରୁ ୧୭ଜଣ ମହିଳା ଅଭିଯୋଗ ସମାନ ଅଭିଯୋଗ କରିଥିଲେ । ଏବେ ଫେରାର ଅଛି ଅଭିଯୁକ୍ତ । ପୋଲିସ ମାମଲା ରୁଜୁ ଅଭିଯୁକ୍ତଙ୍କ ନକଲି ୟୁଏନ ନମ୍ବର ପ୍ଲେଟ୍ ଥିବା ଭଲଭୋ କାରକୁ ଜବତ କରିଛି । ଅନ୍ୟପଟେ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ନିର୍ଦ୍ଦେଶକ ପଦରୁ ହଟାଇ ଦେଇଛି ଶ୍ରୀ ଶୃଙ୍ଗେରୀ ମଠ ପ୍ରଶାସନ । ଆଶ୍ରମ ଏକ ବିବୃତି ଜାରି କରି କହିଛି, ବେଆଇନ ଅନୁପଯୁକ୍ତ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ପୀଠ ତାଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଛି।