ନୂଆଁଖାଇରେ ୨ ଦିନ ଛୁଟି କରାଯାଉ: ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଜୟନାରାୟଣ ମିଶ୍ର

0

ଭୁବନେଶ୍ୱର (ଆମ ଟିଭି): ନୂଆଁଖାଇ ଛୁଟିକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଅାଁଖାଇ’ରେ ୨ଦିନ ସରକାରୀ ଛୁଟି ଘୋଷଣା କରିବା ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨ପୃଷ୍ଠାର ଚିଠି ଲେଖି ଜୟନାରାୟଣ ମିଶ୍ର କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ନୂଅାଁଖାଇ ପର୍ବକୁ ବେଶ୍ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଏ ।

ବର୍ଷା ଋତୁ ପରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ଅନ୍ୟ ଜିଲ୍ଲାଗୁଡ଼ିକରେ ପାଳନ କରାଯାଏ ନୂଅାଁଖାଇ ପର୍ବ । ଗାଁ ଲୋକମାନେ ନିଜ ଫସଲ ଅମଳର ପ୍ରଥମ ଭୋଗ ପାରମ୍ପାରିକ ଶୈଳୀରେ ମା’ ସମଲେଇ, ମା’ ମାଣିକେଶ୍ୱରୀ ଓ ସ୍ଥାନୀୟ ମନ୍ଦିରରେ କରିଥାନ୍ତି । ଗୋଟିଏ ଛାତ ତଳେ ବସି ପରିବାରର ସମସ୍ତ ସଦସ୍ୟ ଏହି ଭୋଗ ପାଇବା ସହ ଗୁରୁଜନମାନଙ୍କ ଆଶୀର୍ବାଦ ମଧ୍ୟ ନେଇଥାନ୍ତି । ଯେଉଁମାନେ ଓଡ଼ିଶା ବାହାରେ ରହିଥାନ୍ତି ସେମାନେ ମଧ୍ୟ ନିଜର ପରିବାର, ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ସହ ଏହି ପର୍ବ ପାଳନ କରିବାକୁ ଘରକୁ ଆସିଥାନ୍ତି ।

ତେବେ ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ପାଇଁ ଚଳିତବର୍ଷ ସେପ୍ଟେମ୍ବର ୧ ତାରିଖରେ ନୂଅାଁଖାଇ ନିମନ୍ତେ ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି । ମାତ୍ର ଏହା ପଶ୍ଚିମଓଡ଼ିଶା ଲୋକଙ୍କ ପାଇଁ ଅନ୍ୟାୟ । ରାଜ୍ୟ ସରକାର ଗୋଟିଏ ଦିନ ନୂଆଖାଇ ଛୁଟି ଘୋଷଣା କରିଥିବାରୁ ଜିଲ୍ଲା ପ୍ରଶାସନ ମଧ୍ୟ ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଦୁଇଦିନ ନୂଆଖାଇ ପାଳିବାକୁ ଅନୁମତି ଦେଉନାହାନ୍ତି । ତେଣୁ ୨ ଦିନ ଛୁଟି କରିବାକୁ ଦାବି କରିଛନ୍ତି ଜୟନାରାୟଣ ମିଶ୍ର ।

Leave A Reply

Your email address will not be published.