୨ ହଜାରିଆ ବନ୍ଦକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ମଲ୍ଲିକା ଅର୍ଜୁନ

0

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨ ହଜାର ଟଙ୍କିଆ ନୋଟକୁ ପ୍ରତ୍ୟାହାର କରି ନେବା ନିମନ୍ତେ ଘୋଷଣା ହେବା ପରଠୁ ଜୋର ଧରିଛି ରାଜନୀତି। ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହି ନୋଟ ପ୍ରତ୍ୟାହାର କରି ନିଆଯିବ ବୋଲି ଡେଡ୍‌ଲାଇନ୍‌ ଦିଆଯାଇଥିବା ବେଳେ ଏହାକୁ ନେଇ ବର୍ଷିଛନ୍ତି ବିରୋଧୀ ।କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏନେଇ ଆଜି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଖଡଗେ କହିଛନ୍ତି ଯେ, ନୋଟବନ୍ଦୀ ପରି ସାଂଘାତିକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ଲୁଚାଇବାକୁ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ନୋଟବନ୍ଦୀ କରିବାକୁ ପଡ଼ୁଛି। ସତ ସାମନାକୁ ଆଣିବାକୁ ନିରପେକ୍ଷ ତଦନ୍ତ ଲୋଡ଼ା ।

ଖଡଗେ ଟ୍ୱିଟ କରି କହିଛନ୍ତି, ପ୍ରଥମ ନୋଟବନ୍ଦୀ ଦେଶର ଅର୍ଥ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଏଥିଯୋଗୁ ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ପୂରାପୂରି ଠପ୍‌ ହୋଇଗଲା ଓ ଲକ୍ଷ ଲକ୍ଷ ଯୁବବର୍ଗ ଚାକିରି ହରାଇଲେ। ଏବେ ପୁଣି ଥରେ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବାକୁ ଘୋଷଣା କରି କେନ୍ଦ୍ର ସରକାର ନିଜ ଭୁଲ୍‌ ନିଷ୍ପତ୍ତି ଉପରେ ପରଦା ପକାଇବାକୁ ଚେଷ୍ଟା କରିଛନ୍ତି।

ସୂଚନା ଥାଉକି, ୨୦୧୬ ନୋଟ୍‌ବନ୍ଦୀ ପରେ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୂଆ ନୋଟ୍ ଜାରି କରିଥିଲା। ଦେଶରେ ୨୦୧୭-୧୮ ଆର୍ଥିକ ବର୍ଷରେ ୨ ହଜାର ଟଙ୍କିଆ ଅଧିକ ନୋଟ୍ ବଜାରକୁ ଛଡ଼ା ଯାଇଥିଲା। ଏହି ବର୍ଷ ୩୩ ହଜାର ୬୩୦ ଲକ୍ଷ ୨ ହଜାର ଟଙ୍କିଆ ନୋଟ୍ ବଜାରକୁ ଆସିଥିଲା। ଯାହାର ମୋଟ ମୂଲ୍ୟ ୬.୭୨ ଲକ୍ଷ କୋଟି ଟଙ୍କା ଥିଲା। ତେବେ ୨୦୧୮-୧୯ରୁ ୨ ହଜାର ଟଙ୍କିଆ ଛପା ବନ୍ଦ କରାଯାଇଥିଲା। ୨୦୨୧ରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ମତ ରଖିଥିଲେ ଯେ ଏହାର ପୂର୍ବ ବର୍ଷ ୨ ହଜାର ଟଙ୍କିଆ ନୋଟ୍ ଆଦୌ ଛପା ଯାଇନଥିଲା।

Leave A Reply

Your email address will not be published.