କୋଲକାତା (ଆମ ଟିଭି): ପଶ୍ଚିମବଙ୍ଗ ରାଜନୀତିକୁ ନେଇ ପୁଣି ଏକ ବଡ଼ ବୟାନ ଦେଇଛନ୍ତି ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ । ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି)ର ୨୧ ଜଣ ବିଧାୟକ ଏବେ ବି ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିଥିବା ସେ ଦାବି କରିଛନ୍ତି। କୋଲକାତାରେ ଥିବା ବିଜେପି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ମିଥୁନ କହିଛନ୍ତି, “୨୧ ଟିଏମସି ବିଧାୟକ ଏବେ ବି ମୋ ସହ ଯୋଗାଯୋଗରେ ଅଛନ୍ତି। ପୂର୍ବରୁ ମୁଁ ଏକଥା କହିଥିଲି ଓ ଆଜି ପୁଣି ମୁଁ ଏହା ଦୋହରାଉଛି।
ମୁଁ ମୋ ବୟାନରେ କାଏମ ରହିଛି। ଆପଣମାନେ କେବଳ ସମୟକୁ ଅପେକ୍ଷା କରନ୍ତୁ। ମୁଁ ଜାଣିଛି ଆମ ଦଳ ଭିତରେ ଟିଏମସିର ନେତାମାନଙ୍କୁ ନେବାରେ ବିରୋଧାଭାଷ ରହିଛି। ଅନେକ କହୁଛନ୍ତି ଆମେ ପଚା ଆଳୁକୁ ନେବୁ ନାହିଁ। ହେଲେ ମୁଁ କହିଛି ଯେ ମୁଁ ସେଭଳି ମୁର୍ଖ ନୁହେଁ। ପୂର୍ବଭଳି ଭୁଲ ହେବନାହିଁ ବୋଲି ସେମାନଙ୍କୁ କହିଛି।” ଦୁର୍ଗା ପୂଜା ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀ କୋଲକାତାରେ ବିଜେପି ନେତାମାନଙ୍କୁ ଭେଟିବାକୁ ଆସିଛନ୍ତି। ଏହି ସମୟରେ ସେ ଗଣମାଧ୍ୟମକୁ ଭେଟିଥିଲେ। ତାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ କ’ଣ ବିଜେପିରେ ଯୋଗ ଦେବାକୁ ଥିବା ଟିଏମସି ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି?