‘ନୂଆ-ଓ’: ଡାଲେମା ଡାଲେମା… ସାଲୁଟୁ, ପାଣ୍ଡିଆନଙ୍କ ଗୋଟିଏ ଦିନର ଜିଲ୍ଲା ଗସ୍ତରେ ଖର୍ଚ୍ଚ ୩ କୋଟି

0

ଭୁବନେଶ୍ଵର (ଆମ ଟିଭି):  ନିର୍ବାଚନ ପୂର୍ବରୁ ଯୁବ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ନବୀନ ସରକାର ଆରମ୍ଭ କରିଥିଲେ ‘ନୂଆ-ଓ ଯୋଜନା । ଘୋଷଣା କରାଗଲା ଯୁବଗୋଷ୍ଠୀଙ୍କୁ ଦକ୍ଷ କରିବା, ଦକ୍ଷତା ବଢ଼ାଇବା ସହ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଛାତ୍ରବୃରି ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ଏହି କ୍ରମରେ ୨୦୨୩-୨୪ ବର୍ଷରେ ରାଜ୍ୟର ସବୁ ସ୍କୁଲ୍ କଲେଜରେ ମଉଜ ମଜଲିସର ଧାରା ଦେଖିବାକୁ ମିଳିଥିଲା । ମାସ ମାସ ଧରି ପାଠପଢ଼ା ବନ୍ଦ ଭିତରେ ଭୋଜି ଭାତ ଓ ନାଚଗୀତରେ ଛାତ୍ରଛାତ୍ରୀ ସମୟ କାଟୁଥିଲା ବେଳେ ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ମଧ୍ଯ ପ୍ରକାଶ କରୁଥିଲେ । ହେଲେ ଭୋଟ୍ ଲକ୍ଷ୍ୟ ପାଇଁ ପାଣି ଭଳି ଖର୍ଚ ହେଉଥିଲା ଟଙ୍କା । ଏହି ବର୍ଷରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ଏହି କାର୍ଯ୍ୟକ୍ରମ ପାଇଁ ରାଜକୋଷରୁ ପ୍ରାୟ ୭୯୮.୦୭ କୋଟି ଖର୍ଚ କରିଛି । ଏହି କାର୍ଯ୍ୟକ୍ରମର ପ୍ରଚାର ମଙ୍ଗ ଧରିଥିଲେ ବିଜେଡିର ପାଓ୍ବାରଫୁଲ ନେତା ତଥା ସୁପର ଚିଫ୍‌ମିନିଷ୍ଟର କୁହାଯାଉଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଓରଫ ଭିକେ ପାଣ୍ଡିଆନ୍ । ସେ ଯେଉଁ ଜିଲାକୁ ଗସ୍ତ କରୁଥିଲେ ସେଠାରେ ପାଣି ଭଳି ଟଙ୍କା ଖର୍ଚ ହେଉଥିଲା । ଆରଟିଆଇରୁ ମିଳିଥିବା ତଥ୍ୟ ଅନୁସାରେ ଏହି କାର୍ଯ୍ୟକ୍ରମ ପାଇଁ ପାଣ୍ଡିଆନ ଗୋଟିଏ ଦିନ କେନ୍ଦୁଝର ଗସ୍ତ କରିଥିଲେ ଆଉ ଏହି ଗୋଟିଏ ଦିନ ପାଇଁ ଖର୍ଚ୍ଚ ହୋଇଥିଲା ୩ କୋଟି ।

ଯୁବ ଭୋଟ୍ ପାଇଁ ‘ନୂଆ-ଓ’ କାମ ଦେଲାନି ବିଜେଡିକୁ । ନିର୍ବାଚନ ପୂର୍ବରୁ ‘ନୂଆ- ଓ କାର୍ଯ୍ୟକ୍ରମର ଢାଲେମା ଢାଲେମା… ସାଲୁଟୁ ଭିଡିଓ ବେଶ୍ ଭାଇରାଲ ହୋଇଥିଲା । ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ‘ନୂଆ-ଓ’ କାର୍ଯ୍ୟକ୍ରମ ପାଇଁ ପାଣ୍ଡିଆନଙ୍କ ଦିନିକିଆ କେନ୍ଦୁଝର ଗସ୍ତରେ କେତେ ଟଙ୍କା ଖର୍ଚ ହୋଇଛି ତା’ର ତଥ୍ୟ ମାଗିଥିଲେ । ଏହାର ଉତ୍ତର ରଖିଛନ୍ତି କେନ୍ଦୁଝର ଜିଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିଚାଳନା) । ପାଣ୍ଡିଆନଙ୍କ ଏହି ଗସ୍ତ ଜାନୁଆରୀ ୨୮ରେ ଥିଲା ବୋଲି ଜଣାପଡ଼ିଛି । ତେବେ ଦିନିକିଆ ଗସ୍ତ ପାଇଁ ଯେଉଁ ଖର୍ଚ ହିସାବ ସାମ୍ନାକୁ ଆସିଛି ତାହା ସୂଚାଇ ଦେଉଛି ଯେ, କିପରି ବିଜେଡି ସରକାର ଭୋଟ୍ ପାଇଁ ଉଡ଼ାଇଥିଲା ଟଙ୍କା । ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତରେ ଗୋଟିଏ ଦିନରେ ଖର୍ଚ ହୋଇଛି ୩ କୋଟି ।

Leave A Reply

Your email address will not be published.