କରୋନାକୁ ଡର ନାହିଁ, ରାଜ୍ୟରେ ଦ୍ୱିତୀୟ ଡୋଜ୍ ନେବାକୁ ଭୁଲିଗଲେ ୩୦ ଲକ୍ଷ
ଭୁବନେଶ୍ବର(ଆମ ଟିଭି) : ଭ୍ୟାକସିନ୍ ବାହାରିବା ସତ୍ତ୍ୱେ ବି ବିଶ୍ୱରେ ଏଯାଏଁ ହୋଇପାରିନି କରୋନା ମହାମାରୀର ମୁଳୋତ୍ପାଟନ । ବରଂ ଦିନକୁ ଦିନ କାହା ବିସ୍ତାର କରିବାରେ ଲାଗିଛି । ଦେଶରେ କରୋନା ମାହାମାରୀର ଚତୁର୍ଥ ଲହର ଆସିସାରିଥିବା ମଧ୍ୟ କୁହାଯାଉଛି । ଏହାରି ମଧ୍ୟରେ ଓଡ଼ିଶାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏବେ ବି ଓଡ଼ିଶାରେ ୩୦ ଲକ୍ଷ ଲୋକ ନେଇନାହାନ୍ତି ଦ୍ୱିତୀୟ ଡୋଜ୍ । ଏଥିରେ ୧୮ବର୍ଷରୁ ଅଧିକ ୨୧ଲକ୍ଷ ଥିବା ବେଳେ ୧୨-୧୪ ଓ ୧୫-୧୭ବର୍ଷର ୯ଲକ୍ଷ ଲୋକ ଦ୍ବିତୀୟ ଡୋଜ୍ ନେଇନାହାନ୍ତି। କିଛି ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଏତେ ସଂଖ୍ୟକ ଲୋକ ନିଜର ଦ୍ବିତୀୟ ଡୋଜ୍ ଟିକା ନ ନେବା ପ୍ରଶାସନ ପାଇଁ ଆହ୍ବାନ ସୃଷ୍ଟି କରିଛି।

ଚଳିତମାସରୁ କେନ୍ଦ୍ର ସରକାର ଆସନ୍ତା ୨ମାସ ପାଇଁ ହର ଘର ଦସ୍ତକ୍ ୨.୦ ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଟିକା ନେଇ ନ ଥିବା ଲୋକଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ଟିକା ନେବା ପାଇଁ ବୁଝାଉଛନ୍ତି। କୌଣସି ଲୋକ ଯେପରି ଟିକାକରଣରୁ ବାଦ୍ ନ ପଡ଼ନ୍ତି ତାହାକୁ ରାଜ୍ୟରେ ସୁନିଶ୍ଚିତ କରିବା ଲାଗି ରାଜ୍ୟରେ ବର୍ତମାନସୁଦ୍ଧା ୬କୋଟି ୭୬ଲକ୍ଷ ୧୯ହଜାର ୧୭୦ ଡୋଜ୍ ଟିକା ଦିଆଗଲାଣି। ଏଥିରେ ୧୮-୪୪ବର୍ଷର ୧କୋଟି ୮୩ଲକ୍ଷ ୨୫ହଜାର ୨୧୮ ପ୍ରଥମ ଓ ୧କୋଟି ୬୫ଲକ୍ଷ ୯୨ହଜାର ୯୬୧ ଦ୍ବିତୀୟ ଡୋଜ୍ ନେଇଛନ୍ତି। କିନ୍ତୁ ପ୍ରିକସନ୍ ଡୋଜ୍ ଟିକାକରଣ ସଂପୂଣ୍ଣର୍ଭାବେ ଧିମେଇ ଯାଇଛି। ବର୍ତମାନସୁଦ୍ଧା ୫୭,୦୧୯ ଜଣ ନିଜର ପ୍ରିକସନ୍ ଡୋଜ୍ ନେଇଛନ୍ତି। ୬୦ବର୍ଷରୁ ଅଧିକ ବୟସ୍କଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କ ପାଇଁ ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ପ୍ରିକସନ୍ ଡୋଜ୍ ନେବାର ବ୍ୟବସ୍ଥା ରହିଛି।