ନୂଆଦିଲ୍ଲୀ (ଆମ ଟିଭି): ଆପଣ ରେଳ ଯାତ୍ରା କରୁଛନ୍ତି କି? ବା ରେଳ ଷ୍ଟେସନକୁ ଯାଉଛନ୍ତି କି? ତାହେଲେ ଆପଣଙ୍କ ପାଇଁ ଏହି ଖବର ନିହାତି ଗୁରୁତ୍ୱପୂର୍ଣ୍ଣ । ରେଳ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଆସିଛି ଏକ ବଡ଼ ଖବର। ପାର୍ବଣ ଋତୁ ପୂର୍ବରୁ ଭାରତୀୟ ରେଳ ବିଭାଗ ପୁଣିଥରେ ପ୍ଲାଟ୍ଫର୍ମ ଟିକେଟ୍ର ମୂଲ୍ୟ ବଢ଼ାଇଦେଇଛି। ସୂଚନା ଅନୁସାରେ, ପ୍ଲାଟ୍ଫର୍ମ ଟିକେଟ୍ର ଏବେ ମୂଲ୍ୟ ୩ ଗୁଣା ବଢ଼ିଛି, ଯାହା ଫଳରେ ରେଳ ଯାତ୍ରୀମାନଙ୍କୁ ଏକ ବଡ଼ ଝଟକା ଲାଗିଛି।
ଖବର ଅନୁସାରେ, ଏବେ ଦିଲ୍ଲୀରେ ପ୍ରମୁଖ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କୁ ଅଧିକ ୩ ଗୁଣା ଟଙ୍କା ଦେଇ ପ୍ଲାଟ୍ଫର୍ମ ଟିକେଟ୍ କିଣିବାକୁ ପଡ଼ିବ। ପୂର୍ବରୁ ଯେଉଁଠି ମାତ୍ର ୧୦ ଟଙ୍କାରେ ଯାତ୍ରୀମାନଙ୍କୁ ଏହି ଟିକେଟ୍ ଉପଲବ୍ଧ ହେଉଥିଲା ଏବେ ୩ଗୁଣା ଅଧିକ ବା ୩୦ଟଙ୍କାରେ ଏହି ଟିକେଟ୍ ମିଳିବ। ସୂଚନା ଅନୁସାରେ, ରେଳ ଷ୍ଟେସନଗୁଡ଼ିକରେ ପୂଜା ପାର୍ବଣ ସମୟରେ ବହୁତ ଭିଡ଼ ହୋଇଥାଏ। ଯାତ୍ରୀଙ୍କ ସହିତ ତାଙ୍କ ସମ୍ପର୍କୀୟମାନେ ଅଧିକ ସଂଖ୍ୟାରେ ଆସୁଥିବାରୁ ରେଳ ଷ୍ଟେସନ୍ରେ ପ୍ରବଳ ଭିଡ଼ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନ୍ରେ ଭିଡ଼ କମାଇବାକୁ ରେଳ କର୍ତ୍ତୃପକ୍ଷ ଏପରି ପଦକ୍ଷେପ ନେଇଛନ୍ତି।