କୁଏତ ହୋଟେଲରେ ଫସିଛନ୍ତି ୩୦୦ ଭାରତୀୟ, ୟୁଏଇରୁ ଉଡ଼ାଣ ଭରିବ ୮ଟି ସ୍ପେଶାଲ ସ୍ପାଇସଜେଟ ବିମାନ
ନୂଆଦିଲ୍ଲୀ (ଆମ ଟିଭି): ଉପସାଗରୀୟ ଦେଶଗୁଡ଼ିକରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ୍ ଚେଷ୍ଟା ଜାରି ରଖିଛି । କମ୍ପାନୀ ଘୋଷଣା କରିଛି ଯେ, ଆଜି ମାର୍ଚ୍ଚ ୪ ତାରିଖରେ ସଂଯୁକ୍ତ ଆରବ ଏମିରେଟ୍ସ (UAE)ରୁ ୮ଟି ସ୍ୱତନ୍ତ୍ର ବିମାନ ପରିଚାଳନା କରିବ ।
ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ଯୋଗୁଁ ପଶ୍ଚିମ ଏସିଆରେ ଆକାଶପଥ ବନ୍ଦ ହେବା ଫଳରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ଆଠଟି ସ୍ୱତନ୍ତ୍ର ବିମାନ ୟୁଏଇର ଫୁଜୈରାହରୁ ଭାରତର ବିଭିନ୍ନ ପ୍ରମୁଖ ସହରକୁ ସେବା ଯୋଗାଇ ଦେଉଛି ।
ପୂର୍ବରୁ ଏୟାରଲାଇନ୍ସ ମାର୍ଚ୍ଚ ୩ ରେ ଚାରୋଟି ସ୍ୱତନ୍ତ୍ର ବିମାନ ଚଳାଚଳ କରିଥିଲା । ସ୍ପାଇସଜେଟ୍ ମାର୍ଚ୍ଚ ୪ ରୁ ଏହାର ନିର୍ଦ୍ଧାରିତ ଫୁଜୈରାହ-ଦିଲ୍ଲୀ ଏବଂ ଫୁଜୈରାହ-ମୁମ୍ବାଇ ବିମାନ ଚଳାଚଳ ପୁଣି ଆରମ୍ଭ କରିବ ।
ପ୍ରାୟ ୩୦୦ ଭାରତୀୟ ନାଗରିକ କୁଏତରେ ଫସି ରହିଛନ୍ତି । ସେମାନେ ବର୍ତ୍ତମାନ କୁଏତର କ୍ରାଉନ୍ ପ୍ଲାଜା ହୋଟେଲରେ ରହୁଛନ୍ତି, କିନ୍ତୁ ସେଠାରେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଫସି ରହିଥିବା ବାସିନ୍ଦା କଳ୍ପେଶ ସଞ୍ଜୟ ରାଠି କୁହନ୍ତି ଯେ ହୋଟେଲ ପରିଚାଳନା ସେମାନଙ୍କୁ ସାହାଯ୍ୟ କରୁନାହିଁ, ନା କୁଏତ ସରକାରଙ୍କଠାରୁ ସେମାନଙ୍କୁ କୌଣସି ଠୋସ୍ ପ୍ରତିଶ୍ରୁତି ମିଳୁ ଛି। ଏହି ୩୦୦ ନାଗରିକଙ୍କ ମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ରର । ହୋଟେଲରେ ଫସି ରହିଥିବା ଭାରତୀୟମାନେ ଭାରତ ସରକାର ଏବଂ କୁୱେତରେ ଥିବା ଭାରତୀୟ ଦୂତାବାସର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି ।