ବିଶୃଙ୍ଖଳା ଆଚରଣ ପାଇଁ ସଂସଦରୁ ନିଲମ୍ବିତ ହେଲେ ୪ କଂଗ୍ରେସ ସାଂସଦ
ନୂଆଦିଲ୍ଲୀ(ଆମ ଟିଭି): ବିଶୃଙ୍ଖଳା ଆଚରଣ ପାଇଁ ସଂସଦରୁ ନିଲମ୍ବିତ ହେଲେ ୪ କଂଗ୍ରେସ ସାଂସଦ। ଏହି ୪ ଜଣ କଂଗ୍ରେସ ସଦସ୍ୟଙ୍କୁ ବାଚସ୍ପତ୍ତି ନିଲମ୍ବନ କରିଛନ୍ତି। ଏହି ୪ ଜଣଙ୍କୁ ଚଳିତ ମୌସୁମୀ ଅଧିବେଶନରୁ ଅପସାରଣ କରାଯାଇଛି। ଦରବୃଦ୍ଧି, ମୁଦ୍ରାସ୍ପୀତିହାର ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ପକ୍ଷରୁ ହୋହଲ୍ଲା କରାଯାଇଥିଲା। ଫଳରେ ସଦନରେ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇଥିଲା। ଗୃହରେ ହଙ୍ଗାମା ଯୋଗୁ ଲୋକସଭା ବାଚସ୍ପତି ୪ ଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। ଏହି ୪ ଜଣ ସଦସ୍ୟ ହେଲେ ମଣିକାମ ଟାଗୋର, ରାମୟା ହରିଦାଶ, ଜୋଠିମଣି ଏବଂ ଟିଏନ ପ୍ରଥାପଡ଼।
ଆଜି ଏହି ୪ ଜଣ ସଦସ୍ୟ ଗୃହରେ ଜୋରଦାର ପାଟିତୁଣ୍ଡ କରିଥିଲେ। ସେମାନଙ୍କୁ ନିରବ ରହିବା ପାଇଁ ବାଚସ୍ପତ୍ତି ବାରମ୍ବାର ଚେତାବନୀ ଦେଇଥିଲେ। ସେମାନଙ୍କୁ ସଦନ ବାହାରେ ଆନ୍ଦୋଳନ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ସେମାନେ କିନ୍ତୁ ଶୁଣି ନଥିଲେ। ଆଜି ଦିନ ତମାମ ବିରୋଧୀଙ୍କ ପକ୍ଷରୁ ଦରଦାମ ବୃଦ୍ଧିକୁ ନେଇ ହଙ୍ଗାମା ହେବା ପରେ ଦିନକ ପାଇଁ ଲୋକସଭାକୁ ମୁଲତବୀ ରଖାଯାଇଛି।