ଭୁବନେଶ୍ୱର (ଆମ ଟିଭି): ରାଶନକାର୍ଡ ତାଲିକାରେ ବଡ଼ ଧରଣର ଘୋଟାଲା ହୋଇଛି। ଆୟକର ଦାତାମାନେ ମଧ୍ୟ ହିତାଧିକାରୀ ସାଜି ରାଶନକାର୍ଡ ହାତେଇଛନ୍ତି। ଅଯୋଗ୍ୟ ହିତାଧିକାରୀମାନଙ୍କ ତାଲିକା ବଢ଼ିଚାଲିଛି। ଇ-କଓ୍ବୋଇସି କରିବା ଲାଗି ଧାର୍ଯ୍ୟ କରାଯାଇଥିବା ସମୟ ସରି ଆସୁଥିବାବେଳେ ଏପର୍ଯ୍ୟନ୍ତ ଆହୁରି ୪୧ ଲକ୍ଷ ହିତାଧିକାରୀ ବାକି ରହିଛନ୍ତି। ଯେଉଁ ହିତାଧିକାରୀ ତାଲିକାରେ ରହିଛନ୍ତି ସେମାନଙ୍କ ମଧ୍ୟରୁ ୪ ଲକ୍ଷ ଆୟକର ଭରୁଥିବା ଖୋଦ୍ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ୪୧ ଲକ୍ଷ ହିତାଧିକାରୀ ଇ-କଓ୍ବୋଇସି ଭରିନାହାନ୍ତି। ହେଲେ ଇ-କଓ୍ବୋଇସି ପ୍ରକ୍ରିୟା ଜାରି ରହିଛି। ବାସ୍ତବରେ ରାଜ୍ୟରେ କେତେ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ତାହା ଇ-କଓ୍ବୋଇସି ପ୍ରକ୍ରିୟା ଶେଷ ହେବାପରେ ସ୍ପଷ୍ଟହେବ। କେତେଜଣ ଆୟକର ଭରି ମଧ୍ୟ ରାଶନ କାର୍ଡ ହାତେଇଛନ୍ତି ତା’ର ତଥ୍ୟ ଆସିଛି, ହେଲେ ଫିଲ୍ଡ ଭେରିଫିକେଶନ ସରିବା ପରେ ତାହା ଜଣାପଡ଼ିବ। ଯଦି ଫିଲ୍ଡ ଭେରିଫିକେଶନରୁ ଜଣାପଡେ ରାଶନ କାର୍ଡ ହାତେଇଥିବା ହିତାଧିକାରୀ ଆୟକର ଦେଉଥିବେ, ତେବେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ। ଯାହା ଦୁର୍ନୀତି ପୂର୍ବ ସରକାରରେ ହୋଇଥିଲା ସେ କଥା ବାରମ୍ବାର କହିଲେ ସେମାନଙ୍କୁ ଖରାପ ଲାଗୁଛି। ହେଲେ ପୂର୍ବ ସରକାର ସମୟରେ ସବୁକିଛି ସମ୍ଭବ ହେଇପାରୁଥିଲା। ସେମାନେ ଯାହାକୁ ପାରେ ତାକୁ ରାଶନକାର୍ଡ ଦେଇଦେଉଥିଲେ ବୋଲି ମନ୍ତ୍ରୀ କହିଛନ୍ତି।