୪ ରୁ ଶୀତ ଅଧିବେଶନ
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତା ୪ ତାରିଖ (ସୋମବାର)ରୁ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ଆଜି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ ସରକାର ସବୁ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି। ଏହା ସହିତ ବିରୋଧୀ ଦଳମାନେ ମଧ୍ୟ ଆଲୋଚନା ପାଇଁ ଅନୁକୂଳ ବାତାବରଣ ପ୍ରସ୍ତୁତ କରିବା ପାଇଁ ସେ ଗୁରୁତ୍ବାରୋପ କରିଛନ୍ତି। ସର୍ବଦଳୀୟ ବୈଠକରେ ଶୀତ ଅଧିବେଶନର ଏଜେଣ୍ଡା ଉପରେ ଚର୍ଚ୍ଚା ହୋଇଥିଲା ଏବଂ ବିରୋଧୀ ଦଳମାନେ ଆପରାଧିକ ଆଇନକୁ ବଦଳାଇବା ସଂକ୍ରାନ୍ତ ୩ଟି ବିଲ୍ର ଇଂରାଜୀ ନାମକରଣକୁ ବିରୋଧ କରିଥିଲେ। ଏହା ସହିତ ଦରଦାମ ବୃଦ୍ଧି, ତଦନ୍ତକାରୀ ସଂସ୍ଥାଗୁଡ଼ିକର ଦୁରୁପଯୋଗ ଏବଂ ମଣିପୁର ପ୍ରସଙ୍ଗ ମଧ୍ୟ ବିରୋଧୀମାନେ ଉଠାଇଥିଲେ। ଏ ନେଇ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଗଠନମୂଳକ ଚର୍ଚ୍ଚା ପାଇଁ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି। ଶୀତ ଅଧିବେଶନରେ ୧୯ଟି ବିଲ୍ ଆଗତ ହେବ ବୋଲି ସଂସଦୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।