ହ୍ବାଟ୍ସଆପ୍‌ରେ ମିଳିବ ୪୨୯ ସରକାରୀ ସେବା

0

ଓଡ଼ିଶା ସରକାର ଓ ମେଟା ଇଣ୍ଡିଆ ମିଳିତ ଭାବେ ଏକ ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ଚାଟ୍‌ବଟ୍‌ର ଶୁଭାରମ୍ଭ କରିଛନ୍ତି। ଏଥିରେ ୪୨୯ରୁ ଅଧିକ ବିଭିନ୍ନ ସରକାରୀ ସେବା ଉପଲବ୍ଧ ହେବ। ରାଜ୍ୟର ୪୫ ନିୟୁତରୁ ଅଧିକ ଲୋକଙ୍କୁ ସମୟକ୍ରମେ ସମସ୍ତ ସରକାରୀ ସେବା ଏହା ପ୍ରଦାନ କରିବ। ଏହି ଚାଟ୍‌ବଟ୍‌ ଜରିଆରେ ନାଗରିକମାନେ ଗୋଟିଏ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ ସେବା ପାଇପାରିବେ। ପ୍ରଶାସନିକ ବ୍ୟବସ୍ଥାରେ ହ୍ବାଟ୍ସଆପ୍‌ ବ୍ୟବହାରରେ ଓଡ଼ିଶା ଦେଶରେ ତୃତୀୟ ରାଜ୍ୟ ହୋଇଛି।

ଲୋକସେବା ଭବନରେ ଅନୁଷ୍ଠିତ ଏହି ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ମନୋଜ ଆହୁଜା ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଓଡ଼ିଶା ସରକାରଙ୍କ ତରଫରୁ ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (ସିଏମ୍‌ଜିଆଇ) ମେଟା ଇଣ୍ଡିଆ ସହ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ଚାଟବଟ୍ ୪୨୯ଟି ସରକାରୀ

ସେବାକୁ ଗୋଟିଏ ହ୍ୱାଟ୍ସଆପ୍‌ ନମ୍ବରରେ ସମନ୍ୱିତ କରିବ। ଯଦ୍ୱାରା ନାଗରିକମାନେ ଜନ୍ମ, ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ସାର ଲାଇସେନ୍ସ ଇତ୍ୟାଦି ଏବଂ ପ୍ରୋତ୍ସାହନ ଯୋଜନା ଭଳି ଗୁରୁତ୍ବପୂର୍ଣ୍ଣ ସେବା ସହ ଆନ୍ତଃଜାତି ବିବାହ ସୁବିଧା, ଜାତୀୟ ପରିବାର ମଙ୍ଗଳ ଯୋଜନା ଏବଂ ଆହୁରି ଅନେକ ସୁବିଧା ପାଇପାରିବେ। ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ, ପ୍ରତ୍ୟେକ ନାଗରିକଙ୍କୁ ସୁବିଧାରେ ସରକାରୀ ସେବା ଯୋଗାଇଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା କେତେକ ପ୍ରତିବନ୍ଧକକୁ ଦୂର କରି ଜନସାଧାରଣଙ୍କୁ ଉଦ୍ଦିଷ୍ଟ ସେବାର ସାମଗ୍ରିକ ଉପଲବ୍ଧତା ବୃଦ୍ଧି କରିବା ଏହି ବୁଝାମଣାପତ୍ରର ମୁଖ୍ୟ ଉଦ୍ଦେଶ୍ୟ।

Leave A Reply

Your email address will not be published.