୪ର୍ଥ ମୀରା ନୃତ୍ୟ ମହୋତ୍ସବ ଉଦଯାପିତ, କୀର୍ତ୍ତି ରାମଗୋପାଳଙ୍କ ଭାରତନାଟ୍ୟମ ନୃତ୍ୟରେ ଦର୍ଶକ ବିଭୋର*
ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗୁରୁ ଶ୍ରୀ ଦୁର୍ଗା ଚରଣ ରଣବୀରଙ୍କ ଶାସ୍ତ୍ରୀୟ ନୃତ୍ୟ ଅନୁଷ୍ଠାନ ନୃତ୍ୟାୟନର ୪ର୍ଥ ବାର୍ଷିକ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ, ମୀରା ନୃତ୍ୟ ମହୋତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା l ଉଦଯାପନୀ ସନ୍ଧ୍ୟାରେ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ, ଓସିଏସ୍-୧, ଉପନିର୍ଦ୍ଦେଶକ, (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ), ଓଡ଼ିଶା ସରକାର, ଡକ୍ଟର ଚନ୍ଦ୍ର ଶେଖର ହୋତା, ସଚିବ, ଓ.ଏସ୍.ଏନ୍.ଏ, ଭୁବନେଶ୍ୱର
ଶ୍ରୀମତୀ ଅନୁରାଧା ମିଶ୍ର (ଏଡିଜି, ନ୍ୟାସନାଲ ଏକାଡେମୀ ଅଫ୍ କଷ୍ଟମ୍ସ,
ସେଣ୍ଟ୍ରାଲ ଏକ୍ସାଇଜ୍ ଆଣ୍ଡ ନାର୍କୋଟିକ୍ସ, ଭୁବନେଶ୍ୱର ପ୍ରମୁଖ ବରେଣ୍ୟ
ଅତିଥିଗଣ ଯୋଗଦେଇଥିଲେ l
ମୀରା ନୃତ୍ୟ ମହୋତ୍ସବ ଓଡ଼ିଶାର ସାଂସ୍କୃତିକ କ୍ୟାଲେଣ୍ଡରରେ କ୍ରମାଗତ ଭାବରେ ଏକ ମର୍ଯ୍ୟାଦାଜନକ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଓଡ଼ିଶୀ ଏହାର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ, ଏହି ମହୋତ୍ସବରେ ଅନ୍ୟାନ୍ୟ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ମଧ୍ୟ ପ୍ରଦର୍ଶିତ ହୋଇଥାଏ l ଯାହାର ଉଦ୍ଦେଶ୍ୟ ହେଉଛି ଭାରତର ବିବିଧ ଶାସ୍ତ୍ରୀୟ ପରମ୍ପରା ମଧ୍ୟରେ ଆଲୋଚନାକୁ ପ୍ରୋତ୍ସାହିତ କରିବା ସହିତ ଓଡ଼ିଶୀର ପ୍ରଚାର ଏବଂ ପ୍ରସାର କରିବା। ଚଳିତ ବର୍ଷର ମହୋତ୍ସବରେ ଓଡିଶୀ ନୃତ୍ୟ ଶିଳ୍ପୀ ଆଲୋକା କାନୁନଗୋଙ୍କୁ “ଗୁରୁ ଦୁର୍ଗା ଚରଣ ରଣବୀର ଜୀବନବ୍ୟାପୀ ସାଧନା ସମ୍ମାନ” ଏବଂ ବାଙ୍ଗାଲୋରର ବିଶିଷ୍ଟ କୁଚିପୁଡ଼ି ନୃତ୍ୟ ଶିଳ୍ପୀ ଅଭିଜିତ ଦାସଙ୍କୁ “ଗୁରୁ ଦୁର୍ଗା ଚରଣ ରଣବୀର ଯୁବ ପ୍ରତିଭା ସମ୍ମାନ” ପ୍ରଦାନ କରାଯାଇଥିଲା l
ତେବେ ଦ୍ୱିତୀୟ ସନ୍ଧ୍ୟା ତଥା ଉଦଯାପନୀ ସନ୍ଧ୍ୟାରେ ଗୁରୁଙ୍କ ବରିଷ୍ଠ ଶିଷ୍ୟା, ଡଃ ଦୀପ୍ତି ରାଉତରାୟ ଏବଂ ଶ୍ରୀମତୀ ସସ୍ମିତା ମହାନ୍ତିଙ୍କ ଦ୍ୱାରା ଏକ ଯୁଗଳ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା । ଏହା ପରେ କର୍ଣ୍ଣାଟକର ବାଙ୍ଗାଲୋର ସହରରୁ ଆସିଥିବା ପ୍ରସିଦ୍ଧ ଭାରତନାଟ୍ୟମ ନୃତ୍ୟ ଶିଳ୍ପୀ ଶ୍ରୀମତୀ କୀର୍ତ୍ତି ରାମଗୋପାଳଙ୍କ ଦ୍ୱାରା ଏକକ ଭାରତନାଟ୍ୟମ ନୃତ୍ୟ ପରିବେଷଣ ହୋଇଥିଲା ଯାହା ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ତୃତୀୟ ପରିବେଷଣରେ ବିଶିଷ୍ଟ ନୃତ୍ୟ ଦମ୍ପତି ଶ୍ରୀ ଅଶୋକ ଘୋଷାଲ ଏବଂ ଶ୍ରୀମତୀ ବନ୍ଦିତା ଘୋଷାଲଙ୍କ ଦ୍ୱାରା ଯୁଗଳବନ୍ଦୀ ଓଡ଼ିଶୀ ପରିବେଷଣ ହୋଇଥିଲା l ଶେଷରେ ଉସ୍ତାଦ ବିସମିଲ୍ଲା ଖାନ ଯୁବ ପ୍ରତିଭା ପୁରସ୍କାର ପ୍ରାପ୍ତ ଶ୍ରୀ ପ୍ରଭାତ କୁମାର ସ୍ୱାଇଁ ଏବଂ ତାଙ୍କ ନୃତ୍ୟ ନୈବେଦ୍ୟ ଅନୁଷ୍ଠାନ ଦ୍ୱାରା ଏକ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ ପରେ ଏହି ମୀରା ନୃତ୍ୟ ମହୋତ୍ସବ ଶେଷ ହୋଇଥିଲା ।
ଏହି ମହୋତ୍ସବରେ ଦେଶର ପ୍ରଖ୍ୟାତ କଳାକାରମାନଙ୍କ ଦ୍ୱାରା ଦୁଇଟି ସନ୍ଧ୍ୟାର ଅସାଧାରଣ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନରେ ଆମନ୍ତ୍ରିତ ବରେଣ୍ୟ ଅତିଥିଙ୍କ ସମେତ ଉପସ୍ଥିତ ଦର୍ଶକ ଏବଂ ଛାତ୍ରଛାତ୍ରୀ ମାନେ ବିଭୋର ହୋଇଥିଲେ l ଦୁଇ ଦିନର ଏହି ମହୋତ୍ସବକୁ ବିଶ୍ୱଜିତ ବଳିୟାରସିଂ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର କୋଷାଧକ୍ଷ ଧୀରେନ୍ଦ୍ରନାଥ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ନୃତ୍ୟାୟନ ଅନୁଷ୍ଠାନର ଉପସଭାପତି ଶ୍ରୀମତୀ ଆରତୀ ରଣବୀର, ଅଧ୍ୟକ୍ଷା ଗାୟତ୍ରୀ ରଣବୀର, ରାହୁଲ ଆଚାର୍ଯ୍ୟ, ଶ୍ରଦ୍ଧାଞ୍ଜଳି ରାୱଲ, ମନୋଜ ପ୍ରଧାନ, ସତ୍ୟଜିତ ମହାନ୍ତି, ଅସିତ ବସୁମଲ୍ଲିକ, ଅର୍ଜୁନ ମୁଦୁଲି, ଶେଷଦେବ ସାମଲ, ଖଗେଶ୍ୱର ଜୟପୁରିଆ, ଅଜୟ ମହାପାତ୍ରଙ୍କ ସହଯୋଗ ଯୋଗୁଁ ଏହି ମହୋତ୍ସବ ସଫଳ ହୋଇ ପାରିଥିବା କଥା ସଭାପତି ରାଧାଶ୍ୟାମ ପାତ୍ର ପ୍ରକାଶ କରିଥିଲେ l