ଆହୁରି ୫ ଦିନ ଅସୟ ତାତିରେ ଭାଜି ହେବ ଓଡିଶା

0

ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ୪୪.୨ ଡିଗ୍ରି ତାପମାତ୍ରା ସହ ‌ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏହାପଛକୁ ରହିଛି ନୂଆପଡ଼ା। ଏଠାରେ ଦିନ ତାପମାତ୍ରା ୪୪ ଡିଗ୍ରି ରହିଥିଲା। ଏଥିସହ ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୩.୯ ଡିଗ୍ରି, ହୀରାକୁଦରେ ୪୩.୮ ଡିଗ୍ରି, ଟିଟିଲାଗଡ଼, ବଲାଙ୍ଗୀର, ରାଉରକେଲା ଓ ବରଗଡ଼ରେ ୪୩.୫ ଡିଗ୍ରି, ସୁନ୍ଦରଗଡ଼ରେ ୪୨.୧ ଡିଗ୍ରି, ବୌଦ୍ଧ, ଭବାନୀପାଟଣା ଓ ଦେବଗଡ଼ରେ ୪୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଯାଇଛି।

ଗୁରୁବାର ଦିନ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, କଟକ, ଖୋର୍ଧା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହୋଇଯାଇଛି। ଏଥିସହ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ କାଳବୈଶାଖୀଜନିତ ହାଲୁକା ବର୍ଷା ହୋଇଛି। ଶୁକ୍ରବାର ଦିନ ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଏହା ଫଳରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିବ। ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡ଼ା ଓ ନୂଆପଡ଼ା ଆଦି ଅଞ୍ଚଳରେ ୪୨ ଡିଗ୍ରି ବା ତା’ଠାରୁ ଅଧିକ ତାପମାତ୍ରା ରହିବ। ରାଜ୍ୟରେ ଅତ୍ୟନ୍ତ ଗରମ ଓ ଅସ୍ବାସ୍ଥ୍ୟକର ପରିବେଶ ଲାଗି ରହିବ। ଏଣୁ ସତର୍କ ରହିବାକୁ ତଥା ପ୍ରଚୁର ପାଣି ପିଇବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Leave A Reply

Your email address will not be published.