ପ୍ରଧାନମନ୍ତ୍ରୀଙ୍କୁ ୫ ବର୍ଷର ଝିଅର ଚିଠି: ପେନସିଲ୍ ଓ ରବର ରେଟ୍ ମହଙ୍ଗା ହୋଇଯାଇଛି, ମାଗିଲେ ମା’ ମାରୁଛି
ନୂଆଦିଲ୍ଲୀ(ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୫ ବର୍ଷର ଝିଅର ଚିଠି। ଉତ୍ତର ପ୍ରଦେଶର କନୌଜ୍ରେ ରହୁଥିବା ୫ ବର୍ଷର ଏକ ଝିଅ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିଜର ମନ କଥା ଜଣାଇଛନ୍ତି। ଯେଉଁଥିରେ ପେନସିଲ୍, ରବର ଓ ମ୍ୟାଗିର ଦାମ୍ ବଢିବାର ଅଭିଯୋଗ କରିଛି।ଝିଅଟିର ନାଁ କୃତ୍ତି ଦୁବେ ଓ ସେ ପ୍ରଥମ ଶ୍ରେଣୀର ଛାତ୍ରୀ। କୁନି ଝିଅ ନିଜର ଚିଠିରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଜୀ ଆପଣ ବହୁତ ଅଧିକ ଦରଦାମ୍ ବଢାଇ ଦେଇଛନ୍ତି। ଏପରିକି ମୋର ପେନସିଲ୍ ଓ ରବର ମଧ୍ୟ ମହଙ୍ଗା କରିଦେଇଛନ୍ତି ଓ ମ୍ୟାଗି ଦାମ୍ ବଢିଯାଇଛି। ଏବେ ପେନସିଲ୍ ମାଗିଲେ ମା’ ମୋତେ ମାରୁଛନ୍ତି। ମୁଁ କ’ଣ କରିବି? ଅନ୍ୟ ପିଲାମାନେ ମୋର ପେନସିଲ୍ ଚୋରି କରି ଦେଉଛନ୍ତି।’
କୃତ୍ତିଙ୍କ ଏହି ଚିଠି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଝିଅଟିର ବାପା ବିଶାଳ ଦୁବେ ପେଶାରେ ଜଣେ ଓକିଲ। ତାଙ୍କର କହିବା ଅନୁସାରେ, ଏହି ଚିଠି ତାଙ୍କ ଝିଅର ମନକଥା। ବାରମ୍ବାର ସ୍କୁଲରେ ପେନସିଲ୍ ହଜାଇବା କାରଣରୁ ନିକଟରେ ତା’ର ମା’ ଗାଳି କରିଥିଲେ। କୁନିଝିଅର ଏ ଚିଠି ଏବେ ଖୁବ୍ ଭାଇରାଲ ହେଉଛି।