ନୂଆଦିଲ୍ଲୀ(ଆମ ଟିଭି): ପ୍ରତିବର୍ଷ ନଭେମ୍ବର ୨୬ ରେ ଭାରତର ସମ୍ବିଧାନ ଦିବସ ପାଳନ କରାଯାଉଛି, ଯାହାକୁ ସମ୍ବିଧାନ ଦିବସ ମଧ୍ୟ କୁହାଯାଏ। ଏହି ଅବସରରେ ଆଜି ସଂସଦରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଯେଉଁଥିରେ ୭୫ ଟଙ୍କିଆ କଏନ୍ ଉନ୍ମୋଚିତ ହୋଇଛି। ୭୫ ଟଙ୍କିଆ କଏନ୍ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିଛି ପୁସ୍ତକ ଓ ଡାକ ଟିକେଟ ମଧ୍ୟ ଉନ୍ମୋଚିତ କରାଯାଇଛି ।
ଆଜି ଏହି ସମ୍ବିଧାନ ଦିବସରେ ରାଷ୍ଟ୍ରପତିଙ୍କ ସମ୍ବୋଧନ କରି କହିଛନ୍ତି ସମ୍ବିଧାନ ଦେଶର ବଡ଼ ଓ ପବିତ୍ର ଗ୍ରନ୍ଥ । ଭାରତର ସମ୍ବିଧାନ ଅନ୍ୟ ଦେଶ ପାଇଁ ପ୍ରେରଣା । ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ ଲକ୍ଷ୍ୟ ରହିଛି। ତେଣୁ ରାଷ୍ଟ୍ରର ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ସହାୟତା ଜରୁରୀ।
ଏହା ସହ ରାଷ୍ଟ୍ରପତି ଆଉ ମଧ୍ୟ କହିଛନ୍ତି ମହିଳା ସଶକ୍ତୀକରଣରେ ନୂଆ ଯୁଗର ଆରମ୍ଭ ହୋଇଛି। ନାରୀ ଶକ୍ତି ବନ୍ଦନ ଆଇନ ସହ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଭାରତୀୟ ବେସାମରିକ ପ୍ରତିରକ୍ଷା ସଂହିତା ପାରିତ କରି ଆଧୁନିକ ଚିନ୍ତାଧାରାକୁ ପ୍ରଭାବଶାଳୀ ଭାବରେ ପ୍ରଚଳନ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ସମାଜର ଦୁର୍ବଳ ବର୍ଗଙ୍କ ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି।
୧୯୪୯ ମସିହାରେ ସମ୍ବିଧାନ ସଭା ଦ୍ୱାରା ଭାରତୀୟ ସମ୍ବିଧାନଗ୍ରହଣ କରାଯାଇଥିଲା। ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଭାରତରେ ଲାଗୁ କରାଯାଇଥିଲା । ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନେଇଛି ।
ଆଜି ସମ୍ବିଧାନ ଗ୍ରହଣର ୭୫ତମ ବାର୍ଷିକୀ ସମ୍ବିଧାନ ଗୃହର ସେଣ୍ଟ୍ରାଲ ହଲ୍ ଅର୍ଥାତ୍ ପୁରୁଣା ସଂସଦ ଭବନରେ ଆଜି ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ରମନ୍ତ୍ରୀ, ସାଂସଦ, ଦିଲ୍ଲୀସ୍ଥିତ ମିସନର ମୁଖ୍ୟ ପ୍ରମୁଖ ଉପସ୍ଥିତ ରହିଛନ୍ତି।