ନୂଆଦିଲ୍ଲୀ(ଆମ ଟିଭି): ସାରା ଦେଶରେ ୭୮ତମ ସ୍ବାଧୀନତା ଦିବସ ବେଶ୍ ଧୂମ୍ଧାମରେ ପାଳନ କରାଯାଉଛି। ସ୍ବାଧୀନତାର ସେହି ଇତିହାସକୁ ଆଜି ସାରା ଦେଶବାସୀ ମନେ ପକାଉଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ସେ ଦେଶର ଯୁବବର୍ଗଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା କ’ଣ ବଡ଼ ଘୋଷଣା କରିଛନ୍ତି ।
ସେ ହିଛନ୍ତି, ଆସନ୍ତା ୫ ବର୍ଷ ମଧ୍ୟରେ ମେଡିକାଲ କଲେଜଗୁଡ଼ିକରେ ୭୫ ହଜାର ନୂତନ ସିଟ୍ ସୃଷ୍ଟି ହେବ। ବଜେଟ୍ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ମଧ୍ୟ ବଜେଟରେ ଇଣ୍ଟର୍ନସିପ୍ ଉପରେ ଗୁରୁତ୍ୱ ଦେଇଛୁ। ଯାହା ଦ୍ବାରା ଆମର ଯୁବବର୍ଗମାନେ ଅଭିଜ୍ଞତା ହାସଲ କରି ପାରିବେ।
ମୋଦି କହିଛନ୍ତି, ସମ୍ପ୍ରତି ବିଶ୍ୱରେ ବଡ଼ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଦକ୍ଷତା ବିକାଶର ଗୁରୁତ୍ୱ ବୃଦ୍ଧି ପାଇଛି। ତେଣୁ ଆମେ ଏହା ଉପରେ ଧ୍ୟାନ ଦେଉଛୁ। ଆମେ ଦେଶର ଯୁବବର୍ଗମାନଙ୍କୁ କୁଶଳୀ କରିବାକୁ ଚାହୁଁଛୁ। ଦେଶର ଯୁବକମାନେ ବିଶ୍ୱ ନିଯୁକ୍ତି ବଜାରରେ ନିଜର ଉପସ୍ଥିତି ସୃଷ୍ଟି କରିବା ଜରୁରୀ ହୋଇପଡ଼ିଛି। ଆମେ ଗବେଷଣା ଉପରେ ଗୁରୁତ୍ବାରୋପ କରି ଏକ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବାକୁ ବଜେଟରେ ନିଷ୍ପତ୍ତି ନେଇଛୁ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।