କାନାଡ଼ାରେ ଭାରତ ବିରୋଧୀ ୯ ବିଚ୍ଛିନ୍ନବାଦୀ ସଙ୍ଗଠନ କାମ କରୁଛନ୍ତି
ନୂଆଦିଲ୍ଲୀ :କାନାଡା ଓ ଭାରତ ସମ୍ପର୍କ ମଧ୍ୟରେ ଦେଖା ଦେଉଥିବା ଫାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା କମିବା ନାଁ ଧରୁନି।
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତର ଲିଙ୍କ୍ ଥିବା କାନାଡ଼ା କହୁଥିବା ବେଳେ ଏନେଇ କିଛି ପ୍ରମାଣ କିନ୍ତୁ ଉପସ୍ଥାପନ କରି ପାରୁନି। ଅପରପକ୍ଷେ, କାନାଡାରେ ଭାରତ ବିରୋଧୀ ୯ ବିଚ୍ଛିନ୍ନବାଦୀ ସଙ୍ଗଠନ କାମ କରୁଥିବା ନେଇ ଭାରତ ପକ୍ଷରୁ କାନାଡ଼ାକୁ ଅବଗତ କରାଯାଇଛି। ଏଥିସହ ଉକ୍ତ ସଙ୍ଗଠନମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ଦାବି କରି ଆସୁଥିବା ବେଳେ ଓଟ୍ୱୱା କିନ୍ତୁ ଏହାକୁ କର୍ଣ୍ଣପାତ କରୁନି।
ଏହି ସଙ୍ଗଠନମାନେ ଭାରତରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଭାରତ ସବୁବେଳେ ଦାବି କରି ଆସୁଛି। ପଞ୍ଜାବର ଲୋକପ୍ରିୟ ସିଙ୍ଗର ସିଦ୍ଧ ମୁସେୱାଲା ମର୍ଡର କେସ୍ରେ ବି ସେମାନଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଥିଲା। ଏନେଇ ଭାରତ ପ୍ରମାଣ ଦେବା ସତ୍ତ୍ୱେ କାନାଡା ଉକ୍ତ ସଙ୍ଗଠନ ଉପରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ବହୁ ଉଚ୍ଚସ୍ତରୀୟ ବୈଠକରେ କାନାଡା ସମ୍ମୁଖରେ ଭାରତ ଏହି ପ୍ରସଙ୍ଗ ଉତ୍ଥାପନ କରିଥିବା ବେଳେ କାନାଡା କିନ୍ତୁ ସେପରି ଗୁରୁତ୍ୱ ଦେବା ପରି ଲାଗୁନି।
ପ୍ରାୟତଃ ୮ ଆତଙ୍କବାଦୀ ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସହ ପାକିସ୍ତାନର ଆଇଏସ୍ଆଇ ସହ ମଧ୍ୟ ସମ୍ପର୍କ ରଖିଥିବା ପ୍ରମାଣ ମିଳିଛି। ମାତ୍ର ସେମାନଙ୍କ ପାଇଁ କାନାଡା ଏବେ ଭୂସ୍ୱର୍ଗ ପାଲଟିଥିବା ବେଳେ ସେଠାରେ ସେମାନେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ସେଠାରେ ସେମାନେ ଭାରତ ବିରୋଧରେ ଷଡଯନ୍ତ୍ର କରିବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ, ହତ୍ୟାକାଣ୍ଡ ଘଟାଉଛନ୍ତି। ଏଥିସହ ଦେଶରେ ଘୃଣା ସୃଷ୍ଟିକାରୀ ପ୍ରସଙ୍ଗ ଉଠାଇ ତାହାର ପ୍ରଚାର କରୁଛନ୍ତି। ଏହାଦ୍ୱାରା ଦେଶର ଶାନ୍ତି କ୍ଷୁର୍ଣ୍ଣ ହେଉଥିବା ଭାରତ ପକ୍ଷରୁ କୁହାଯାଇଛି।