ନିୟମିତ ହେବେ ୯୨୦୦ କନିଷ୍ଠ ଶିକ୍ଷକ

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ କାର୍ଯ୍ୟରତ ୯ ହଜାର ୨୦୦ କନିଷ୍ଠ ଶିକ୍ଷକ ନିୟମିତ ହେବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ଯେଉଁମାନେ ଚାକିରି ସର୍ତ୍ତାବଳୀ ଅନୁଯାୟୀ ନିରବିଚ୍ଛନ୍ନ ଭାବେ ୬ବର୍ଷ କାର୍ଯ୍ୟ କରିଛନ୍ତି ଓ ସେମାନଙ୍କର ଶିକ୍ଷାଦାନରେ ସରକାର ସନ୍ତୁଷ୍ଟ ହୋଇଛନ୍ତି, ସେମାନଙ୍କୁୁ ନିୟମିତ କରିବା ପାଇଁ ଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ୯୨୦୦ କନିଷ୍ଠ ଶିକ୍ଷକଙ୍କୁ ସହକାରୀ ଶିକ୍ଷକ ଗ୍ରେଡ୍‌ ଲେଭଲ-୫ (ଏ) ପ୍ରାଥମିକ କ୍ୟାଡର ଭୁକ୍ତ କରାଯାଇ ନିୟମିତ କରାଯିବ। ଶିକ୍ଷା ସହାୟକ ତଥା କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ବିଭାଗ ପକ୍ଷରୁ ୨୦୧୧ ମସିହାରେ ହୋଇଥିବା ଚିଠି ଅନୁଯାୟୀ ସୁବିଧା ଦିଆଯିବ।

ଓଆର୍‌ଏସ୍‌ପି ୨୦୧୭ ଅନୁଯାୟୀ ଲେଭଲ-୬ ପେ’ ସ୍କେଲ୍‌ ପ୍ରଦାନ କରାଯିବ। ୬ବର୍ଷ ପୂରଣ କରିଥିବା ଦିନଠାରୁ ହିଁ ବକେୟା ଭାବେ ଦରମା ପ୍ରଦାନ କରାଯିବ। ଅଣତାଲିମପ୍ରାପ୍ତ ଏବଂ ଓଟିଇଟି ଉତ୍ତୀର୍ଣ୍ଣ ହୋଇ ନ ଥିଲେ ସେମାନଙ୍କୁ ନିୟମିତ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ। ତେବେ ନିୟମିତ ନିଯୁକ୍ତିପତ୍ର ଦେବା ପୂର୍ବରୁ ଜିଲା ପ୍ରକଳ୍ପ ସଂଯୋଜକ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର, ତାଲିମ ପ୍ରମାଣପତ୍ର ଏବଂ ଜାତିଗତ ପ୍ରମାଣପତ୍ର ଆଦି ଯାଞ୍ଚ କରିବା ସହ ବିଭାଗ ନିକଟରେ ଦାଖଲ କରିବାକୁ ସୁନିଶ୍ଚିତ କରିବେ।

Leave A Reply

Your email address will not be published.