ଭୁବନେଶ୍ୱର(ଆମ ଟିଭି): ବିଧାନସଭାରେ ଆଜି ଉଠିଥିଲା ଶୀତଳଭଣ୍ଡାର ପ୍ରସଙ୍ଗ । ରାଜ୍ୟରେ ୩୬ଟି ଶୀତଳ ଭଣ୍ଡାର କାର୍ୟ୍ୟକ୍ଷମ ଅଛି । ଆଉ ୯୭ଟି ଅଚଳ ହୋଇ ପଡିଛି । ହେଲେ ଏହି ଅଚଳ ଶୀତଳ ଭଣ୍ଡାରକୁ କାର୍ୟ୍ୟକ୍ଷମ କରିବା ପାଇଁ ଯେଉଁ ପରିମାଣର ଅର୍ଥ ଆବଶ୍ୟକ, ତାହା ନୂତନ ଶୀତଳ ଭଣ୍ଡାର ନିର୍ମାଣ ସହ ସମାନ । ତେଣୁ ଅଚଳ ଶୀତଳ ଭଣ୍ଡାରକୁ କାର୍ୟ୍ୟକ୍ଷମ କରିବା ଲାଭଦାୟକ ନୁହେଁ । ପନିପରିବା ସଂରକ୍ଷଣ ପାଇଁ ଉଦ୍ୟାନ କୃଷି ବିଭାଗ ୧୦୦ କିଲୋଗ୍ରାମ ବିଶିଷ୍ଟ ହଜାରେ ସବଜି କୁଲର ନିର୍ମାଣ କରୁଛି । ଯେଉଁଥିରେ ୭୦% ରିହାତି ବ୍ୟବସ୍ଥା ରହିଛି । ଏଥିରେ ପ୍ରୋତ୍ସାହନ ରାଶି ବି ଅଛି । ସାଧାରଣ ଅଞ୍ଚଳ ପାଇଁ ୫୫%, ଯାହା ୨୨୦ ଲକ୍ଷ ଟଙ୍କା ।
ସେହିପରି ସଂରକ୍ଷିତ ଅଞ୍ଚଳ ପାଇଁ ୭୦%, ଯାହା ୨୮୦ ଲକ୍ଷ ଟଙ୍କା ଅଟେ । ସେହିପରି ଶୀତଳିକରଣ ଗୃହ ବି ନିର୍ମାଣ କରାଯିବ । ଏଥିରେ ୫୫ରୁ ୭୦% ରିହାତି ମିଳିବ । ଏନେଇ ବିଧାନସଭାର ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେହିପରି ପଞ୍ଚାୟତିରାଜ ବିଭାଗ, ଏସଏଚଜି ଓ କୃଷକଙ୍କ ସହଯୋଗରେ ସୌରଚାଳିତ ଶୀତଳ ଗୃହ ନିର୍ମାଣ କରାଯାଉଛି । ଇଛୁକ ଲୋକେ ପାଖ ଉଦ୍ୟାନ କୃଷି କାର୍ୟ୍ୟାଳୟରେ ନିବେଦନ କରିପାରିବେ ।