ଭୁବନେଶ୍ୱର (ଆମ ଟିଭି): କଂଗ୍ରେସକୁ ବଡ଼ ଝଟକା । ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ସତ୍ୟପ୍ରକାଶ ନାୟକ। କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ନିଜର ଇସ୍ତଫା ପତ୍ର ସେ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏଥିସହ ଲେଖିଛନ୍ତି, ‘‘ପରିବର୍ତ୍ତନ କଠିନ। କିନ୍ତୁ ଯେଉଁଠି ଆପଣ ଓ ଆପଣଙ୍କ ମୂଲ୍ୟବୋଧକୁ ଅଣଦେଖା କରାଯାଏ, ସେଠାରେ ରହିବା ମଧ୍ୟ କଷ୍ଟକର। କୋହଭରା ହୃଦୟରେ ମୁଁ କଂଗ୍ରେସରୁ ଇସ୍ତଫା ଦେଉଛି’’। ଅପରପକ୍ଷେ, ସତ୍ୟପ୍ରକାଶଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।
ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ଓ ମିଡିଆ ସେଲର ଆବାହକ ପଦରୁ ସେ ଇସ୍ତଫା ଦେଇଥିଲେ। ଗତ ନିର୍ବାଚନରେ ସେ ପୁରୀ ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା ମଧ୍ୟ କରିଥିଲେ। ତେବେ କଂଗ୍ରେସ ସଭାପତି ନିର୍ବାଚନରେ ମତଦାନ ପାଇଁ ପ୍ରଦେଶ କଂଗ୍ରେସର ୪୨୭ ଜଣିଆ ତାଲିକାରେ ସତ୍ୟଙ୍କ ନାଁ ନଥିବାକୁ ନେଇ ସେ ଅସନ୍ତୋଷ ଜାହିର କରିଥିଲେ। ତାଙ୍କୁ ଦଳରେ ଅଣଦେଖା କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ।