ବ୍ରାଜିଲରେ ବନ୍ୟା ସ୍ଥିତି ସାଙ୍ଘାତିକ, ଗଲାଣି ୨୪ ଜୀବନ

0

ନୂଆଦିଲ୍ଲୀ : ବନ୍ୟା ଓ ଭୁସ୍ଖଳନ ଯୋଗୁ ବେହାଲ ବ୍ରାଜିଲ । ଦେଶରେ ଦେଖିବାକୁ ମିଳିଛି ପ୍ରକୃତିର କରାଳ ରୂପ । ବ୍ରାଜିଲର ଦକ୍ଷିଣ ପୂର୍ବର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ବନ୍ୟା ଓ ଭୂସ୍ଖଳନ ଘଟି ଏଯାବତ ୨୪ ଜଣଙ୍କ ଜୀବନ ଗଲାଣି।ସ୍ଥାନୀୟ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ବ୍ରାଜିଲର ଦକ୍ଷିଣ ପୂର୍ବର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଘଟିଛି। ଏହି କାରଣରୁ ପ୍ରାୟ ୨୪ ଜଣଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ହଜାର ହଜାର ଲୋକ ବାସହୀନ ହୋଇ ପଡ଼ିଛନ୍ତି।

ବ୍ରାଜିଲରେ ହେଉଥିବା ଲଗାଣ ବର୍ଷା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହେଉଛି। ଫଳରେ ବହୁ ସଡ଼କ ପଥ ଧୋଇ ଯାଇ ଯାତାୟତ ବାଧାପ୍ରାପ୍ତ ହେଉଛି। ତେଣୁ ଅଧିକାଂଶ ସ୍ଥାନରୁ ଆକାଶ ମାର୍ଗରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏଥିସହ ସଡ଼କ ପଥକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଜୋରସୋରରେ କାମ ଚାଲୁ ରହିଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଉଥିବା ବେଳେ ରେସକ୍ୟୁ ଟିମ୍‌ ବନ୍ୟା ଓ ଭୂସ୍ଖଳନରେ ଫସି ରହିଥିବା ଲୋକଙ୍କୁ ଠାବ କରିବାକୁ ଚେଷ୍ଟା ଚଳାଇଛନ୍ତି । ଯେଉଁ ସ୍ଥାନଗୁଡିକର ସମ୍ପର୍କ ଅନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଛି ସେହି ସ୍ଥାନଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି | ରାସ୍ତା ସଫା କରିବା ସହିତ ଭଙ୍ଗା ରାସ୍ତାଗୁଡ଼ିକର ମରାମତି କରାଯାଉଛି। ଏହା ସତ୍ତ୍ୱେ ଭୂସ୍ଖଳନ ଯୋଗୁ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବହୁ ରାସ୍ତାକୁ ବନ୍ଦ ରହିଛି।

ଏହି ସମୟରେ ବ୍ରାଜିଲର କାର୍ନିଭାଲ ଉତ୍ସବରେ ଭାଗ ନେବାକୁ ଅଗଣିତ ପର୍ଯ୍ୟଟକ ବ୍ରାଜିଲରେ ପହଞ୍ଚି ସାରିଛନ୍ତି। ଫଳରେ ସେମାନେ ମଧ୍ୟ ଏହି ବନ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି।

ବ୍ରାଜିଲର ଧନୀ ସହର ସାଓ ପାଉଲୋର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯେଉଁଥିପାଇଁ ଉଦ୍ଧାରକାରୀ ଦଳଙ୍କୁ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସାଓ ପାଉଲୋ ରାଜ୍ୟ ସରକାର ୬ ଟି ସହର ପାଇଁ ୧୮୦ ଦିନ ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିସ୍ଥିତି ଘୋଷଣା କରି ସାରିଛନ୍ତି।

Leave A Reply

Your email address will not be published.