ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ‘ଏ ଦିଲ୍ ତତେ ଦେଲି’
ଭୁବନେଶ୍ୱର (ଆମ ଟିଭି): ମାର୍ଚ୍ଚ ୧୭ ତାରିଖରେ ଓଡ଼ିଶାର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆସୁଛି ଫିଲ୍ମ “ଏ ଦିଲ୍ ତତେ ଦେଲି” । ଭିନ୍ନ ଧରଣର ପ୍ରେମ ଓ ବିଚ୍ଛେଦର କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ ଏ ଦିଲ୍ ତତେ ଦେଲି’ । ପ୍ରେମର ଗଣିତ ଯେତେ ଜଟିଳ, ତା’ ର ଭାଗଫଳକୁ ବୁଝିବା ସେତେ କଷ୍ଟ । ଭବିଷ୍ୟତ ଗଢିବାର ସୁନେଲୀ ସ୍ବପ୍ନ ନେଇ ଦିନେ ନୂଆ ସହରରେ ପାଦ ଥାପିଥିଲେ ଯୁବ ସଙ୍ଗୀତନିର୍ଦ୍ଦେଶକ ସୁରଜ । ଯେଉଁଦିନ ସୁରଜକୁ ଦେଖୁଛି ରୂପା, ସେହି ମୂହୂର୍ତ୍ତରେ ହିଁ ପଡ଼ି ଯାଇଛି ପ୍ରେମରେ । କିନ୍ତୁ ଏ ପ୍ରେମର ଗଣିତକୁ ବୁଝିପାରିନି ରୂପା । ଅନ୍ୟପଟେ, ପ୍ରେମ ଓ କ୍ୟାରିୟର ରୂପୀ ଦୁଇଟି ନାଆରେ ପାଦ ଦେବାକୁ ଅସମଞ୍ଜସ ହେଉଛି ସୁରଜ । ସମୟର ଚକ ବୁଲିଛି ଓ ସେ ଦୁହିଁଙ୍କ ଜୀବନରେ ଘଟିଯାଇଛି କିଛି ଅଘଟଣ …ଜ୍ଝ ଯାହାକୁ ନେଇ କାହାଣୀ
ନିଆରା କାହାଣୀ । ନିଚ୍ଛକ ପ୍ରେମ । ପ୍ରତିଟି ହୃଦୟର କଥାକୁ ନେଇ, ପ୍ରେମ- ବିଛେଦର ଅପ୍ରିୟ ସତ୍ୟକୁ ନେଇ ପରଦାକୁ ଆସୁଛି “ଏ ଦିଲ ତତେ ଦେଲି” । ବଲିଉଡ଼ରେ ଅନେକ ଫିଲ୍ମରେ ଅଭିନୟର ଯାଦୁ ଦେଖାଇଥବା ଅଭିନେତ୍ରୀ ରିୟାନା ଏଥ୍ରେ ନାୟିକା ଭୂମିକାରେ ଅବତୀର୍ଣ୍ଣ। ନାୟକ ଭାବେ ଏଣ୍ଟ୍ରି ମାରିଛନ୍ତି ପ୍ରତିଭାବାନ୍ ଅଭିନେତା ବିଭାସ । ଷ୍ଟେପ ବାଏ ଷ୍ଟେପ ପିଲ୍ମସ୍ ଓ ରଙ୍ଗ କ୍ରିଏସନ୍ ର ମିଳିତ ସହଯୋଗରେ ନିର୍ମାଣ ହୋଇଛି ଏହି କାହାଣୀ । ପ୍ରଯୋଜନା ଭାର ଅଖିଳେଶ ବର୍ମା ତୁଲାଇଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ନିଲୁ ବକ୍ସ । ସେହିପରି ସଙ୍ଗୀତରେ ସ୍ବର ସଂଯୋଜନା କରିଛନ୍ତି ମହମ୍ମଦ ମୁସୀର । ମାନସ ସାହୁ ଗୀତ ରଚନା କରିଛନ୍ତି । ଚଳଚ୍ଚିତ୍ରର କ୍ରିଏଟିଭ ମୁଖ୍ୟ ଅଛନ୍ତି ପ୍ରଣୟ ଜେଠୀ।
କାହାଣୀରେ ଅନ୍ୟମାନଙ୍କ ଭିତରେ ମନୀଷା ମିଶ୍ର, ନୀଲୁ ବକ୍ସ ରହିଛନ୍ତି। ମାର୍ଚ୍ଚ ୧୭ରେ କଞ୍ଚାଲଙ୍କାରେ ଫିଲ୍ମ ଟି ଷ୍ଟ୍ରିମିଙ୍ଗ ହେବାକୁ ରହିଥିବାବେଳେ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ପ୍ରକାଶ ପାଇଛି । ସେପଟେ ଚଳଚ୍ଚିତ୍ରଟି ନିଶ୍ଚିତ ଦର୍ଶକାଦୃତ ହେବ ବୋଲି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ପକ୍ଷରୁ ଆଶା ପ୍ରକଟ କରାଯାଇଛି ।