ଡିନର କରିବାକୁ ଡାକିଲେ କେଜ୍ରିୱାଲ ଆସିଲେ ନାହିଁ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ବିରୋଧୀ ଦଳମାନଙ୍କର ନେତୃତ୍ୱ ନେବାକୁ ପ୍ରଚେଷ୍ଟା କରୁଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବିରୋଧୀ ଦଳମାନଙ୍କୁ ନେଇ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ବ ରଖି ତୃତୀୟ ମେଣ୍ଟ ପାଇଁ ପ୍ରଚେଷ୍ଟା କରୁଛନ୍ତି | ଆଉ ଏହି ଦୋୖଡରେ କେଜ୍ରିୱାଲ ମଧ୍ୟ ସାମିଲ ଅଛନ୍ତି | ନିକଟରେ ଆମ୍ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ସାତୋଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ମାର୍ଚ୍ଚ ୧୮ରେ ରାତ୍ରୀଭୋଜନ ପାଇଁ ଡାକିଥିଲେ। ତେବେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ କାରଣ ଦର୍ଶାଇ ରାତ୍ରୀଭୋଜନରେ ଯୋଗ ଦେଇନାହାନ୍ତି | ବାସ୍ତବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା, କେରଳ, ତାମିଲନାଡୁ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ।

ତେବେ ଏହି ରାତ୍ରୀଭୋଜନ କାର୍ଯ୍ୟକ୍ରମରେ କେବଳ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରୁ ଜେଏମଏମ ନେତା ହେମନ୍ତ ସୋରେନ, ଡିଏମକେ ନେତା ଏମ.କେ ଷ୍ଟାଲିନ, ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଜେଡିୟୁ ନେତା ନୀତୀଶ କୁମାର, ବିଆରଏସ ନେତା କେସିଆର ଏବଂ ସିପିଏମ ନେତା ପିନାରାଇ ବିଜୟନ ଦୂରେଇ ରହିଥିଲେ। ରିପୋର୍ଟ ଅନୁଯାୟୀ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି ନା ନାହିଁ ସେନେଇ କିଛି କହିବାକୁ ଟିଏମସି ମନା କରିଦେଇଥିବାବେଳେ ନୀତିଶ କୁମାର ଓ କେସିଆର କେଜ୍ରିୱାଲଙ୍କ ସହ ମିଶିବାକୁ ଚାହୁଁନାହାନ୍ତି ବୋଲି ସୂଚନା ମିଳିଛି |

Leave A Reply

Your email address will not be published.