ବିଜୟ ମାଲ୍ଲ୍ୟାଙ୍କୁ ନେଇ ଏମିତି କହିଲା ସିବିଆଇ
ନୂଆଦିଲ୍ଲୀ: ବ୍ୟାଙ୍କ୍ ଋଣ ପରିଶୋଧ କରିବା ଲାଗି ବିଶିଷ୍ଟ ବ୍ୟବସାୟୀ ବିଜୟ ମାଲ୍ଲ୍ୟାଙ୍କ ନିକଟରେ ଯଥେଷ୍ଟ ଅର୍ଥ ଥିଲା। କିନ୍ତୁ, ସେ ତାହା ନ କରି ଭାରତରୁ ଖସିଯିବା ଆଗରୁ ବିଦେଶରେ ସମ୍ପତ୍ତି ଖରିଦ କରିଥିଲେ ବୋଲି ‘ସିବିଆଇ’ ମୁମ୍ବାଇ ଅଦାଲତରେ ଫାଇଲ୍ କରିଥିବା ‘ସପ୍ଲିମେଣ୍ଟାରି ଚାର୍ଜସିଟ୍’ରେ କହିଛି।
୨୦୧୫-୧୬ରେ ‘କିଙ୍ଗ୍ଫିସର୍ ଏୟାର୍ଲାଇନ୍ସ୍’ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ ମଧ୍ୟ ବିଜୟ ମାଲ୍ଲ୍ୟା ଇଂଲଣ୍ଡ୍ ଏବଂ ଫ୍ରାନ୍ସ୍ରେ ୩୩୦ କୋଟି ଟଙ୍କାର ସମ୍ପତ୍ତି କ୍ରୟ କରିଥିଲେ। ଏହି ସମୟରେ ସେ ଋଣ ପରିଶୋଧ ନ କରିବାରୁ ବ୍ୟାଙ୍କ୍ ତାଙ୍କୁ ଋଣଖିଲାପକାରୀ ତାଲିକାଭୁକ୍ତ କରିଥିଲା ବୋଲି ଉକ୍ତ ଚାର୍ଜସିଟ୍ରେ ଉଲ୍ଲେଖ ଅଛି।
ଚାର୍ଜସିଟ୍ରେ ‘ସିବିଆଇ’ କହିଛି, ୨୦୦୮ରୁ ୨୦୧୭ ମଧ୍ୟରେ ବ୍ୟାଙ୍କ୍ ଋଣ ପରିଶୋଧ କରିବା ଲାଗି ମାଲ୍ଲ୍ୟାଙ୍କ ନିକଟରେ ଯଥେଷ୍ଟ ଅର୍ଥ ଥିଲା। ‘କିଙ୍ଗ୍ଫିସର୍ ଏୟାର୍ଲାଇନ୍ସ୍’ ପାଇଁ ସେ ବ୍ୟାଙ୍କ୍ରୁ ଋଣ ଆଣିଥିଲେ। କିନ୍ତୁ, ତାହା ପରିଶୋଧ ନ କରି ସେ ସମଗ୍ର ୟୁରୋପରେ ବ୍ୟକ୍ତିଗତ ସମ୍ପତ୍ତି ଖରିଦ କଲେ ଓ ସ୍ବିଜର୍ଲାଣ୍ଡ୍ରେ ଥିବା ତାଙ୍କ ପିଲାଙ୍କ ଟ୍ରଷ୍ଟ୍କୁ ଅର୍ଥ ଟ୍ରାନ୍ସ୍ଫର୍ କଲେ।