ମୋଦିଙ୍କୁ ନେଇ ଏମିତି କହିଲେ ଅମିତ ଶାହା
ନୂଆଦିଲ୍ଲୀ :ମୋଦିିଜୀଙ୍କୁ ଫସାଇବା ପାଇଁ ମୋ ଉପରେ ଚାପ ପଡ଼ିଥିଲା। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଗୁଜରାଟରେ ହୋଇଥିବା ଏକ ମିଛ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫସାଇବାକୁ ସିବିଆଇ ମୋ ଉପରେ ଚାପ ପକାଇଥିଲା।’ ରାଇଜିଂ ଇଣ୍ଡିଆ ସମ୍ମିଳନୀ-୨୦୨୩ରେ ଯୋଗ ଦେଇ ଏଭଳି କିଛି ଖୁଲାସା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।
ବିିରୋଧୀ ଦଳଙ୍କ ଅଭିଯୋଗ ଉପରେ ଏକ ପ୍ରଶ୍ନର ଉତ୍ତରରେ ଶାହ କହିଛନ୍ତି, ‘ମୋଦି ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ତାଙ୍କୁ ଏକ ମିଛ ଦଙ୍ଗା ଘଟଣାରେ ଫସାଇବାକୁ ସିବିଆଇ ମୋ ଉପରେ ଚାପ ପକାଇଥିଲା। କେବଳ ସେତିକି ନୁହେଁ, ମୋ ବିରୋଧରେ ବି ସିବିଆଇ ମାମଲା ଦାଏର କରିଥିଲା। ହେଲେ କୋର୍ଟ ମୋତେ ୯୦ ଦିନରେ ଜାମିନ ଦେଇଥିଲେ। ସେତେବେଳେ ଏସବୁ ଘଟଣାକୁ ନେଇ ବିଜେପି ନେତା କଳା ସାର୍ଟ ପିନ୍ଧି ସଂସଦରେ ହଙ୍ଗାମା କରି ନଥିଲେ। ହେଲେ ରାହୁଲ ଗାନ୍ଧୀଙ୍କ ପାଇଁ ତାଙ୍କ ଦଳର ନେତାମାନେ କଳା ସାର୍ଟ ପିନ୍ଧି ଯେପରି ବିରୋଧ କରୁଛନ୍ତି ତାହା କେବେ ବି ଗ୍ରହଣୀୟ ନୁହେଁ।’
କେନ୍ଦ୍ର ଗୃହମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ମୋଦି ସରକାର ଦେଶକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ କରିବାକୁ ୨୦୧୪ରୁ ଲଢେଇ ଜାରି ରଖିଛନ୍ତି। ହେଲେ ରାହୁଲ ଗାନ୍ଧୀଙ୍କ ପାଇଁ ବିକ୍ଷୋଭ ପ୍ରଦର୍ଶନ କରି ବିରୋଧୀ କ’ଣ କହିବାକୁ ଚାହୁଁଛନ୍ତି। ଭ୍ରଷ୍ଟାଚାର କରୁଥିବା ବ୍ୟକ୍ତି ଉପରେ କୌଣସି ମକଦ୍ଦମା ନହେଉ ବୋଲି ସେମାନେ କହିବାକୁ ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।’