ଭୂକମ୍ପରେ ଥରିଲା ପ୍ରଶାନ୍ତ ମହାସାଗର
ନୂଆଦିଲ୍ଲୀ (ଆମ ଟିଭି): ଭୂକମ୍ପରେ ଥରିଲା ପ୍ରଶାନ୍ତ ମହାସାଗର । ବୋକା ଚିକା ନଗରୀ ନିକଟବର୍ତ୍ତୀ ପାନାମା ଉପକୂଳ ଅନ୍ତର୍ଗତ ପ୍ରଶାନ୍ତ ମହାସାଗର ଜଳରାଶିରେ ମଙ୍ଗଳବାର ଦିନ ୬.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିବା କଥା ‘ଦି ୟୁ. ଏସ୍. ଜିଓଲୋଜିକାଲ୍ ସର୍ଭେ’ କହିଛି। ଏଥିରେ କେହି ମୃତାହତ ହୋଇଥିବା କିଂବା କିଛି କ୍ଷୟକ୍ଷତି ହୋଇଥିବାର ସୂଚନା ନଥିଲେ ବି ନଭଶ୍ଚମ୍ଭୀ ଅଟ୍ଟାଳିକା ମାନଙ୍କରେ ରହୁଥିବା ଲୋକେ ଅତି ଭୟରେ ଥିବା ଜଣାପଡିଛି ।
ଭୂଗର୍ଭର ୧୨ କିଲୋମିଟର୍ ଅଭ୍ୟନ୍ତରରେ ସଂଘଠିତ ଏହି ଭୂକମ୍ପନ ଅପେକ୍ଷାକୃତ ଅଗଭୀର ଥିବା କଥା ଆମେରିକୀୟ ଏଜେନ୍ସି ‘ଦି ୟୁ. ଏସ୍. ଜିଓଲୋଜିକାଲ୍ ସର୍ଭେ’ ସୂଚନା ଦେଇଛି। ଦି ୟୁ. ଏସ୍. ଜିଓଲୋଜିକାଲ୍ ସର୍ଭେ’ କହିଛି: ସ୍ଥାନୀୟ ସମୟ ୫.୧୮ରେ ସଂଗଠିତ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ବୋକା ଚିକାର ଦକ୍ଷିଣ ଦିଗକୁ ପ୍ରାୟ ୪୪ କିଲୋମିଟର୍ ଦୂରବର୍ତ୍ତୀ ଅଞ୍ଚଳ। ଏହି ଭୂକମ୍ପନ ଯୋଗୁଁ ରାଜଧାନୀ ପାନାମା ନଗରୀ ସମେତ ପାନାମାର ଅଧିକାଂଶ ପ୍ରାନ୍ତ ଦୋହଲି ଯିବାରୁ ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ବାସ କରୁଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ନିକଟସ୍ଥ କୋଇବା ଦ୍ବୀପରେ ମଧ୍ୟ ଭୂକମ୍ପନ ଅନୁଭୂତ ହୋଇଥିବା କଥା ପାନାମାର ‘ସିଭିଲ୍ ଡିଫେନ୍ସ୍ ଅଫିସ୍’ ସୂଚନା ଦେଇଛି।