ଦୁଲୀପ ଓ ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ତାରିଖ, ଜାଣନ୍ତୁ କେବେ

0

ନୂଆଦିଲ୍ଲୀ :ଭାରତୀୟ କ୍ରିକେଟର ୨୦୨୩-୨୪ ଘରୋଇ ସିଜିନ ଦୁଲୀପ ଟ୍ରଫିରୁ ଆରମ୍ଭ ହେବ। ଏହାପରେ ରଣଜୀ ଟ୍ରଫି ଖେଳାଯିବ। ଆଜି ବିସିସିଆଇ ପକ୍ଷରୁ ଘରୋଇ କ୍ରିକେଟ ସିଜିନ ପାଇଁ ତାରିଖ ଘୋଷଣା କରାଯାଇଛି। ଜୁନ ୨୮ରୁ ଦୁଲୀପ ଟ୍ରଫି ଆରମ୍ଭ ହେବ। ସେହିପରି ଆସନ୍ତା ବର୍ଷ ଜାନୁଆରୀ ୫ରୁ ରଣଜୀ ଟ୍ରଫି ଖେଳାଯିବ।

ଦୁଲୀପ ଟ୍ରଫି ୬ଟି ଜୋନାଲ ଟିମକୁ ନେଇ ଖେଳାଯିବ। ଏହାପରେ ଦେଓଦର ଟ୍ରଫି(ଲିଷ୍ଟ ଏ) ଜୁଲାଇ ୨୪ରୁ ଅଗଷ୍ଟ ୩, ଇରାନୀ କପ ଅକ୍ଟୋବର ୧ରୁ ୫ ତାରିଖ, ସୟିଦ ମୁସ୍ତାକ ଅଲୀ ଟ୍ରଫି (ପୁରୁଷ ଟି-୨୦ ନ୍ୟାଶନାଲ ଚାମ୍ପିୟଶିପ) ଅକ୍ଟୋବର ୧୬ରୁ ନଭେମ୍ବର ୬ ଓ ବିଜୟ ହାଜାରେ ଟ୍ରଫି ନଭେମ୍ବର ୨୩ରୁ ଡିସେମ୍ବର ୧୫ ଯାଏ ଖେଳାଯିବ।

ପୁରୁଷ ସିନିୟର କ୍ୟାଲେଣ୍ଡରର ଶେଷ ଟୁର୍ଣ୍ଣାମେଣ୍ଟ ଭାବେ ରଣଜୀ ଟ୍ରଫି ଖେଳାଯିବ। ଏଲିଟ ଗ୍ରୁପ୍‌ ଲିଗ୍‌ ମ୍ୟାଚ୍‌ ଗୁଡ଼ିକ ଜାନୁଆରୀ ୫ରୁ ଫେବୃଆରୀ ୧୯ ଯାଏ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ନକଆଉଟ ପର୍ଯ୍ୟାୟ ଫେବୃଆରୀ ୨୩ରୁ ମାର୍ଚ୍ଚ ୨୪ ଯାଏ ଚାଲିବ। ପୂରା ୭୦ ଦିନ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଶେଷ ହେବ। ପ୍ଲେଟ ଗ୍ରୁପ୍‌ର ଲିଗ୍‌ ମ୍ୟାଚଗୁଡ଼ିକ ଜାନୁଆରୀ ୫ରୁ ଫେବୃଆରୀ ୫ ଯାଏ ଓ ନକଆଉଟ ଫେବୃଆରୀ ୯ରୁ ୨୨ ଯାଏ ଖେଳାଯିବ।

ମହିଳା କ୍ରିକେଟ କ୍ୟାଲେଣ୍ଡର

ଅନ୍ୟପକ୍ଷରେ ବରିଷ୍ଠ ମହିଳା କ୍ରିକେଟ ସିଜିନ ଅକ୍ଟୋବର ୧୯ରୁ ଆରମ୍ଭ ହେବ। ଜାତୀୟ ଟି-୨୦ ଚାମ୍ପିୟନଶିପ ଅକ୍ଟୋବର ୧୯ରୁ ନଭେମ୍ବର ୯ ଯାଏ ଚାଲିବ। ଏହାପରେ ଇଣ୍ଟର ଜୋନାଲ ଟି-୨୦ ଟ୍ରଫି ନଭେମ୍ବର ୨୪ରୁ ଡିସେମ୍ବର ୪ ଯାଏ ଖେଳାଯିବ। ଜାନୁଆରୀ ୪ରୁ ୨୬ ତାରିଖ ଯାଏ ବରିଷ୍ଠ ମହିଳା ଦିନିକିଆ ଟ୍ରଫି ଆୟୋଜନ ହେବ।

ମହିଳା ଟି-୨୦ ଓ ଦିନିକିଆ ଟ୍ରଫିରେ ୫ଟି ଗ୍ରୁପ୍‌ ରହିବ। ୨ଟି ଗ୍ରୁପରେ ୮ଟି ଦଳ ଓ ୩ଟି ଗ୍ରୁପରେ ୭ଟି ଦଳ ରହିବେ। ପ୍ରତି ୫ଟି ଗ୍ରୁପ୍‌ର ଟପ୍‌ ୨ଟି ଲେଖାଏ ଟିମ ନକଆଉଟ ପର୍ଯ୍ୟାୟକୁ ଯିବେ।

ଗ୍ରୁପ୍‌ ମ୍ୟାଚ୍‌ ପରେ ଦଳଗୁଡ଼ିକୁ ସେମାନଙ୍କ ପଏଣ୍ଟ, ବିଜୟ ଓ ନେଟ ରନରେଟ ଆଧାରରେ ୧ରୁ ୧୦ ରାଙ୍କ ମଧ୍ୟରେ ରଖାଯିବ। ୧ରୁ ୬ ରାଙ୍କ ମଧ୍ୟରେ ରହୁଥିବା ଦଳ ସିଧାଳସଳଖ କ୍ୱାର୍ଟର ଫାଇନାଲକୁ ଯିବେ। ବାକି ୨ଟି ସ୍ଥାନ ପାଇ ୭ରୁ ୧୦ ମଧ୍ୟରେ ଥିବା ଦଳଗୁଡ଼ିକ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବେ। ଏହି ୪ ଦଳ ମଧ୍ୟରୁ ୨ଟି ଦଳ ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ହାସଲ କରିବେ।

Leave A Reply

Your email address will not be published.