ନୂଆଦିଲ୍ଲୀ (ଆମ ଟିଭି): ପୁଣି ବିଜେପିକୁ ଟାର୍ଗେଟ କଲା ଆପ୍ । ମନୀଷ ସିସୋଦିଆଙ୍କୁ ବଦନାମ କରିଛି ବିଜେପି । ତଦନ୍ତର ମଜାକ ବନାଉଛି କେନ୍ଦ୍ରୀୟ ଏଜେନ୍ସି । ନ୍ୟାୟାଳୟରେ ମିଛ ରିପୋର୍ଟ ଦେଇ ଭୁଆଁ ବୁଲାଉଛି ଇଡି । ବିରୋଧୀଙ୍କ ବିରୋଧରେ ବିଜେପିର ହୀନ ଚକ୍ରାନ୍ତ ଓ କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗକୁ ନେଇ ପ୍ରେସମିଟ୍ କରି ବର୍ଷିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂ । ଦିଲ୍ଲୀର ବିବାଦୀୟ ଅବକାରୀ ନୀତିକୁ ନେଇ ଦିଲ୍ଲୀର ପୂର୍ବତନ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଏକାଧିକବାର ସିସୋଦିଆଙ୍କ ଘର, ଅଫିସ, ବ୍ୟାଙ୍କ ଲକର ଯାଞ୍ଚରେ ଟଙ୍କାଟିଏର ଦୁର୍ନୀତି ବାବଦରେ ସୁରାକ ମିଳି ନଥିବା ବେଳେ ପ୍ରମାଣ ନଷ୍ଟ ଓ ତଦନ୍ତରେ ସହଯୋଗ ନକରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
ତଦନ୍ତ ବେଳେ ସିସୋଦିଆ ୧୪ଟି ଫୋନ ନଷ୍ଟ କରିଥିବା ଇଡି କୋର୍ଟରେ ରିପୋର୍ଟ ଦାଖଲ କରିଥିବା ବେଳେ ଲିଷ୍ଟରେ ଥିବା ସବୁ ଫୋନ ଏବେ ବି ବ୍ୟବହାର ଯୋଗ୍ୟ ବୋଲି କହିଛନ୍ତି ଆପ୍ ସାଂସଦ । ଇଡି ଦାଖଲ କରିଥିବା ଫୋନର ଆଇଏମଇଆଇର ନମ୍ବରଗୁଡ଼ିକରୁ ୫ଟି ଇଡି ସିଜ୍ କରିଥିବା ବେଳେ ଅନ୍ୟ ୯ଟି ଏବେ ବି ଠିକ୍ ଥିବା ସେ ଦାବି କରିଛନ୍ତି । କୋର୍ଟ ଓ ଗଣମାଧ୍ୟମକୁ ମିଛ କହିଥିବା ଇଡି ଅଧିକାରୀଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆପ୍ ଦାବି କରିଛି ।