ଅଜିତ ପାୱାରଙ୍କ ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ?
ନୂଆଦିଲ୍ଲୀ :‘ମୁଁ ୧୦୦% ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି। ଏଥିପାଇଁ ୨୦୨୪ ଯାଏ କାହିଁକି ଅପେକ୍ଷା କରିବି। ଏବେ କାହିଁକି ନୁହେଁ ?’ ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ ଏନସିପି ନେତା ଅଜିତ ପାୱାରଙ୍କ ଦଳ ଛାଡ଼ିବା ଚର୍ଚ୍ଚା ଜୋର ଧରିଥିବା ବେଳେ ଖୋଦ ତାଙ୍କ ବୟାନକୁ ନେଇ ଏବେ ଜୋର ଧରିଛି ରାଜନୀତି । ହେଲେ ବିଜେପିରେ ଯୋଗ ଦେବା ଚର୍ଚ୍ଚା ଉପରେ ନିଜେ ଅଜିତ ପାୱାର ବିରାମ ଲଗାଇବା ସହ ଏନସିପି ଛାଡ଼ିବା ପ୍ରଶ୍ନ ଉଠୁନି ବୋଲି ସ୍ପଷ୍ଟ କରିଛନ୍ତି।
ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ ଏନସିପି ନେତା ଅଜିତ ପାୱାର ଙ୍କ ଦଳ ଛାଡ଼ିବା ଚର୍ଚ୍ଚା ଆହୁରି ଜୋର ଧରିଛି। ଗତକାଲି ମୁମ୍ବାଇରେ ଏନସିପି ପକ୍ଷରୁ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗତକାଲି ଅଜିତ ପାୱାର ଯୋଗ ଦେବେ ବୋଲି ସମସ୍ତଙ୍କ ନଜର ଥିବା ବେଳେ ସେ କିନ୍ତୁ ସେଠାରେ ପହଞ୍ଚି ନ ଥିଲେ । ତାଙ୍କର ଅନ୍ୟତ୍ର କାମ ଥିବାରୁ ସେ ଏନସିପିର ଦିନ ତମାମ ଚାଲିଥିବା କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ନାହିଁ ବୋଲି ଆଗୁଆ ଦଳକୁ ଜଣାଇ ଦେଇଥିବା କହିଥିଲେ।
ଏବେ ଏ ନେଇ ସେ କହିଛନ୍ତି, ଏନସିପିରେ କୌଣସି ଫାଟ ନାହିଁ। ତେଣୁ ସେ ଦଳ ଛାଡ଼ିବା ପ୍ରଶ୍ନ ଉଠୁନି। ଏଥିସହ ଅଜିତ ପାୱାର ବିଜେପି ଆଡ଼କୁ ଢଳୁଥିବାରୁ ସେ ଖୁବ୍ ଶୀଘ୍ର ଗେରୁଆ ଦଳରେ ସାମିଲ ହେବା ନେଇ ଚର୍ଚ୍ଚ ଜୋର ଧରିଥିବା ବେଳେ ଏହାକୁ ବି ସେ ମନା କରି ଦେଇଛନ୍ତି।
ଏନେଇ ଅଜିତ ପାୱାର କହିଛନ୍ତି, ଆମେ ପ୍ରଥମେ ଧର୍ମନିରପେକ୍ଷତା ଓ ପ୍ରଗତିଶୀଳକୁ ମୁଖ୍ୟ ପ୍ରସଙ୍ଗ କରିଥିଲୁ। କିନ୍ତୁ ୨୦୧୯ରେ କଂଗ୍ରେସ ଓ ଏନସିପି ଗାଦି ପାଇଁ ଶିବସେବା ସହ ଗଠବନ୍ଧନ କରିଦେଲେ। ଫଳରେ ଧର୍ମନିରପେକ୍ଷତା ଲାଇନ୍ରୁ ଆମେ ହଟିଗଲୁ। କାରଣ ଶିବସେନା ଏକ ହିନ୍ଦୁତ୍ୱ ପାର୍ଟି ।