ସୁଦାନରୁ ଭାରତ ଫେରିଲେ ୩୬୦ ଭାରତୀୟ

0

ନୂଆଦିଲ୍ଲୀ :ଅପରେସନ ‘କାବେରି’ ଜରିଆରେ ଅଶାନ୍ତ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୬୦ ଭାରତୀୟ ଗତକାଲି ସନ୍ଧ୍ୟାରେ ନିଜ ଦେଶ ମାଟିରେ ପାଦ ଦେଇଛନ୍ତି। ଏହି ସମୟରେ ଭାରତ ମାତା କି ଜୟ ଧ୍ୱନୀରେ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ବିମାନବନ୍ଦର କମ୍ପୁଥିବା ବେଳେ ବେଶ୍‌ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ସୁଦାନରୁ ଉଦ୍ଧାର ପାଇଥିବା ଭାରତୀୟ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜଣାଇଥିବା ବେଳେ ସେମାନଙ୍କ ଉଦ୍ୟମ ଯୋଗୁ ପୁନଃଜୀବନ ପାଇଥିବା କହିଛନ୍ତି।

ଗତକାଲି ସନ୍ଧ୍ୟାରେ ୩୬୦ ଭାରତୀୟଙ୍କୁ ଧରି ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ବିମାନ ବନ୍ଦରରେ ପହଞ୍ଚିଥିଲା। ଏହି ସମୟରେ ସୁଦାନରୁ ଫେରିଥିବା ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବିମାନବନ୍ଦରରେ ଉପସ୍ଥିତ ଥିଲେ।

ସୁଦାନରେ ଗୃହ ଯୁଦ୍ଧ ପରିସ୍ଥିତି ଲାଗିଥିବା ବେଳେ ଆମେରିକା ଓ ସାଉଦି ଆରବ ମଧ୍ୟସ୍ଥତା ପରେ ଉଭୟ ପକ୍ଷ ୭୨ ଘଣ୍ଟା ଅସ୍ତବିରତି ପାଇଁ ସହମତି ପ୍ରକାଶ କରିଥିଲେ। ଏହି ସମୟ ମଧ୍ୟରେ ଭାରତ ସମେତ ବିଭିନ୍ନ ଦେଶ ନିଜ ନାଗରିକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି।

ଭାରତୀୟ ବାୟୁସେନାର ୨ ସ୍ୱତନ୍ତ୍ର ବିମାନରେ ୨୫୦ ଭାରତୀୟଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା। ଏହା ପୂର୍ବରୁ ନୌସେନା ଜାହାଜ ଆଇଏନଏସ ସୁମେଦ୍ଧା ୨୭୮ ଯାତ୍ରୀଙ୍କୁ ଧରି ସାଉଦି ଆରବର ଜେହାଦ ଅଭିମୁଖେ ଯାତ୍ରା କରିଥିଲା। ଏହି ଯାତ୍ରୀମାନେ ସାଉଦି ଆରବରେ ପହଞ୍ଚିଥିବା ବେଳେ ସେଠାରୁ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଉଛି।

Leave A Reply

Your email address will not be published.