ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିକ୍ରମ ଆରୁଖ
ଭୁବନେଶ୍ୱର(ଆମ ଟିଭି): ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ। ଏନେଇ ବିଜୁଜନତା ଦଳ ତରଫରୁ ନାମାଙ୍କନ ଭରିଛନ୍ତି ବିକ୍ରମ କେଶରୀ ଆରୁଖ। ବିଧାନସଭା ସଚିବଙ୍କ ନିକଟରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିରୋଧୀଙ୍କ ପାଖରେ ସଂଖ୍ୟା ନଥିବାରୁ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ନିଶ୍ଚିତ । ଆସନ୍ତା ୧୩ ତାରିଖରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ । ଏହି ସ୍ୱତନ୍ତ୍ର ଅଧିବେଶନରେ ସେ ନୂଆ ବାଚସ୍ପତି ଭାବେ ଶପଥ ନେବେ ।
ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ବିଜେଡି ନେତା ନିରଞ୍ଜନ ପୂଜାରୀ, ସମୀର ଦାଶ, ଭୂପିନ୍ଦର ସିଂହ, ରାଜେନ୍ଦ୍ର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି ବିକ୍ରମ କେଶରୀ ଆରୁଖ । ନାମାଙ୍କନ ପତ୍ର ଦାଖଲ ପରେ ଆରୁଖ କହିଛନ୍ତି, ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋ ନାଁ ପ୍ରସ୍ତାବ କରିଥିବାରୁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏଥିସହ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ବିଧାନସଭାର ପରମ୍ପରା ଓ ଗାରିମା ରକ୍ଷା ପାଇଁ ଉଦ୍ୟମ ଜାରି ରଖିବି ।