ବଢ଼ିଲା ସମୀର ୱାଙ୍ଖେଡେଙ୍କ ଅଡ଼ୁଆ

0

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଥିବା ଏନସିବିର ପୂର୍ବତନ ମୁମ୍ବାଇ ଜୋନ ମୁଖ୍ୟ ସମୀର ୱାଙ୍ଖେଡେଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିଷୟରେ ସାଂଘାତିକ ତଥ୍ୟ ଏନସିବି ତା’ର ରିପୋର୍ଟରେ ଉଲ୍ଲେଖ କରିଛି। ସିବିଆଇ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଥିବା ବେଳେ ଏବେ ସାମ୍ନାକୁ ଆସିଥିବା ଏନସିବି ରିପୋର୍ଟ ସମୀରଙ୍କ ଅଡ଼ୁଆ ବଢ଼ାଇଛି।ସମୀର ତାଙ୍କ ପରିବାର ଲୋକଙ୍କ ସହ ଅନେକ ଥର ବିଦେଶ ଯାତ୍ରା କରିଛନ୍ତି। ଏଥିସହ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଏନସିବି ରିପୋର୍ଟ ଦେଇଛି। ଏହାପୂର୍ବରୁ ସିବିଆଇ ତାଙ୍କ ବିରୋଧରେ ରୁଜୁ କରିଥିବା ଏଫଆଇଆରରେ ସେ ଓ ତାଙ୍କ ସହଯୋଗୀମାନେ କେମିତି ଆର୍ଯ୍ୟନଙ୍କ ପରିବାର ଲୋକଙ୍କ ଠାରୁ ୨୫ କୋଟି ଟଙ୍କା ହଡ଼ପ କରିବାକୁ ଚାହୁଁଥିଲେ, ତା’ର ତଥ୍ୟ ରହିଥିଲା।

ସିବିଆଇ ମାମଲା କରିବା ପୂର୍ବରୁ ଏନସିବିର ଭିଜିଲାନ୍ସ ବିଭାଗ ତାଙ୍କ ବିରୋଧରେ ତଦନ୍ତ କରିଥିଲା। ଏହି ସମୟରେ ଜଣାପଡ଼ିଛି ଯେ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଓ ତାଙ୍କ ବନ୍ଧୁ ଅରବାଜ ମରଚାଣ୍ଟଙ୍କ ନାଁ ଶେଷ ମୁହୂର୍ତ୍ତରେ ଅଭିଯୁକ୍ତ ତାଲିକାରେ ସାମିଲ କରାଯାଇଥିଲା। କିଛି ସନ୍ଦିଗ୍ଧଙ୍କ ନାଁକୁ ହଟାଇ ଏହି ଦୁଇ ଯୁବକଙ୍କ ନାଁ ଉଲ୍ଲେଖ କରାଯାଇଥିଲା। କ୍ରୁଜରେ ରେଡ୍‌ ବେଳେ ଜଣେ ସନ୍ଦିଗ୍ଧ ଯୁବତୀଙ୍କ ଠାରୁ ରୋଲିଂ ପେପର ମିଳିଥିଲା। ତଥାପି ସମୀର ଓ ତାଙ୍କ ଟିମ ଉକ୍ତ ଯୁବତୀଙ୍କୁ ସେଠାରୁ ଖସି ଯିବା ପାଇଁ ଅନୁମତି ଦେଇଥିଲେ।

ଆର୍ଯ୍ୟନ ଖାନ ଏନସିବି ହେପାଜତରେ ଥିବା ବେଳେ ଅନେକ ନିୟମର ଉଲ୍ଲଙ୍ଘନ ହୋଇଥିଲା। ଜାଣିଶୁଣି ସମୀର ୱାଙ୍ଖେଡେ ସବୁ କିଛିରେ ବୁଝାମଣା କରି କିରଣ ଗୋସାଭିଙ୍କୁ ଆର୍ଯ୍ୟନଙ୍କ ପାଖକୁ ଯିବାକୁ ଅନୁମତି ଦେଇଥିଲେ। ତଦନ୍ତକାରୀ ଟିମ ଦ୍ୱାରା ଏନସିବି ଅଫିସରୁ ସଂଗୃହୀତ ହୋଇଥିବା ସିସିଟିଭି ଫୁଟେଜ ଖରାପ ହୋଇଯାଇଥିଲା। ଆର୍ଯ୍ୟନ ଖାନଙ୍କୁ ଯେଉଁଦିନ ରାତିରେ ଏନସିବି ଅଫିସକୁ ଅଣାଯାଇଥିଲା, ସେସମୟରେ ଡିଭିଆର ଓ ହାର୍ଡକପି, ଏନସିବିର ମୁମ୍ବାଇ ଟିମ ଦ୍ୱାରା ପ୍ରସ୍ତୁତ କପି ଠାରୁ ଅଲଗା ଥିଲା।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ୨୦୧୭ ଠାରୁ ୨୦୨୧ ମଧ୍ୟରେ ସମୀର ୱାଙ୍ଖେଡେ ପରିବାର ଲୋକଙ୍କ ସହ ୬ଥର ବିଦେଶ ଗସ୍ତରେ ଯାଇଥିଲେ। ବ୍ରିଟେନ, ଆୟର୍ଲ୍ୟାଣ୍ଡ, ପର୍ତ୍ତୁଗାଲ, ଦକ୍ଷିଣ ଆଫ୍ରିକା ଓ ମାଳଦ୍ୱୀପରେ ସେମାନେ ୫୫ ଦିନ ରହିଥିଲେ। ଏହି ସମୟରେ ସେ ମାତ୍ର ୮.୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି। କିନ୍ତୁ ଏତିକି ଟଙ୍କା କେବଳ ବିମାନ ଖର୍ଚ୍ଚ ହିଁ ଭରଣା କରାଯାଇ ପାରିବ। ତେଣୁ ସେ ଭୁଲ ତଥ୍ୟ ଦେଇଛନ୍ତି।

Leave A Reply

Your email address will not be published.