ମୁହଁ ଖୋଲିଲେ ଶରତ କହିଲେ ଏବେ ବି ମୁଁ ଅଧ୍ୟକ୍ଷ
ମହାରାଷ୍ଟ୍ରରୁ ଦିଲ୍ଲୀ ପହଞ୍ଚିଲା ଏନସିପି କଳି। ମୁମ୍ବାଇ ପରେ ଆଜି ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଶରଦ ପାୱାର। ଗତକାଲି ମୁମ୍ବାଇ ପରେ ଆଜି ଦିଲ୍ଲୀରେ ହୋଇଛି ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ତେବେ ବୈଠକ ପରେ ପୋଷ୍ଟର ମାଧ୍ୟମରେ ଅଜିତ ପାୱାର ଗୋଷ୍ଠୀ ଉପରେ ତୀବ୍ର ହମଲା କରିଛି ଏନସିପି ଯୁବ ଶାଖା।
ଗୋଟାଏ ପଟେ ଶରଦ ପାୱାର ତାଙ୍କ ସହ ଥିବା ନେତାମାନଙ୍କ ନେଇ ଏନ୍ସିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ କରିଛନ୍ତି। ବୈଠକରେ ସେ କହିଛନ୍ତି ସେ ହିଁ ଏନ୍ସିପିର ଅଧ୍ୟକ୍ଷ। ଆଉ କିଏ ଏନ୍ସିପିର ଅଧ୍ୟକ୍ଷ ହେବା କଥା ଭୁଲ।
ଅନ୍ୟପଟେ ତାଙ୍କ ପୁତୁରା ତଥା ଏନ୍ସିପି ଦଳରେ ବିଦ୍ରୋହ କରି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ୍ ପାୱାର ଏହି ବୈଠକ ବେଆଇନ୍ ବୋଲି କହିଛନ୍ତି। ଏନେଇ ସେ କହିଛନ୍ତି, ଏନ୍ସିପି ପ୍ରତିନିଧିତ୍ୱକୁ ନେଇ ବିବାଦ ଇସିଆଇରେ ଅଛି। ତେଣୁ ଏନ୍ସିପି ଭିତରେ କୌଣସି ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିବା ଅଧିକାର ନାହିଁ। ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମାନିବା ପାଇଁ କେହିବି ଆଇନ ଅନୁଯାୟୀ ବାଧ୍ୟ ନୁହେଁ।
ଶରଦଙ୍କ ଘରେ ହୋଇଥିବା ଏନ୍ସିପି କାର୍ଯ୍ୟକାରିଣୀ ବୈଠକରେ ଶରଦଙ୍କ ସହ ସୁପ୍ରିୟା ସୁଲେ, ସାଂସଦ ଫେଜିୟା ଖାନ୍, ବନ୍ଦନା ଚହ୍ୱାନ୍ଙ୍କ ସମେତ ବିଭିନ୍ନ ରାଜ୍ୟର ଦଳୀୟ ମୁଖ୍ୟମାନେ ଯୋଗ ଦେଇଥିଲେ। ସେହିପରି ଆଜି ଶରତ ରାଷ୍ଟ୍ରୀୟ ପଦାଧିକାରୀଙ୍କ ପକ୍ଷରୁ ରାଜ୍ୟ ଦଳୀୟ ଅଧ୍ୟକ୍ଷ ବୈଠକ ମଧ୍ୟ କରିଥିଲେ।
ବୈଠକ ନେଇ କେରଳ ଏନ୍ସିପି ସଭାପତି ପିସି ଚାକୋ କହିଛନ୍ତି, ବୈଠକରେ କାର୍ଯ୍ୟକାରିଣୀ ସମିତି ଚୟନ କରାଯାଇଛି। ଦଳର ସମସ୍ତ ୨୭ ୟୁନିଟ୍ କମିଟି ଶରତଙ୍କ ସହିତ ରହିଛି। ମହାରାଷ୍ଟ୍ରରେ କୌଣସି ଦଳୀୟ କମିଟି ଅଜିତ୍ଙ୍କ ସହିତ ନାହାନ୍ତି। ଏହି ବୈଠକରେ ୮ଟି ପ୍ରସ୍ତାବ ପାରିତ ହୋଇଛି। ବିଦ୍ରୋହ କରିଥିବା ୯ ବିଧାୟକଙ୍କୁ ଦଳରୁ ନିଷ୍କାସିତ କରିବା ନିଷ୍ପତ୍ତି ଉପରେ ବୈଠକରେ ସମସ୍ତ ସଦସ୍ୟ ସହମତି ପ୍ରକାଶ କରିଛନ୍ତି।