ଚାଷୀଙ୍କୁ ନେଇ ଏମିତି ରିପୋର୍ଟ ଦେଲା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ

0

ବରଗଡ଼, (ଅଂଜନ ପ୍ରଧାନ): ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ଗତ ଦୁଇ ଦଶନ୍ଧି ହେଲା ବାରମ୍ବାର ମରୁଡ଼ି କାରଣରୁ ଚାଷୀ ମୁହଁରେ ଆଉ ହସ ନାହିଁ। ଚାଷୀ ମାନସିକ ଅବସାଦର ଶିକାର ହେଉଥିବା ବେଳେ ଆଉ ଏକ ଉଦ୍‌ବେଗଜନକ ତଥ୍ୟ ଏବେ ସାମ୍ନାକୁ ଆସିଛି। ଗତ ଦୁଇ ଦଶନ୍ଧିର ପରିସଂଖ୍ୟାନ ଦେଖିଲେ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ଆୟୁଷ କମି କମି ଯାଉଥିବା ଜଣାପଡ଼ୁଛି। ଦୁଇ ଦଶନ୍ଧି ତଳେ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ହାରାହାରି ଆୟୁଷ ୭୫-୮୦ ବୟସ ରହୁଥିଲା। ଏବେ ଏହା ହାରାହାରି ୬୦-୬୫କୁ ଖସି ଆସିଛି। ବାରମ୍ବାର ଚାଷ ଉଜୁଡ଼ି ଯାଉଥିବାରୁ ଚାଷୀ ମାନସିକ ରୋଗର ଶିକାର ହେଉଛି। ତେଣୁ ବୟସ କମିବା ଏହାର ଏକ କାରଣ ବୋଲି କହାଯାଉଛି। ତେବେ ଆୟୁଷ କମିବାର ସବୁଠୁ ବଡ଼ କାରଣ ହେଲା କୀଟନାଶକର ମାତ୍ରାଧିକ ପ୍ରୟୋଗ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପୂର୍ବ ପ୍ରକାଶିତ ରିପୋର୍ଟରେ ଦର୍ଶାଇଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ, ପଶ୍ଚିମ ଓଡ଼ିଶାର ୮୫ ପ୍ରତିଶତ ଚାଷୀ କୀଟନାଶକ ବ୍ୟବହାର କରୁଛନ୍ତି। ୯୬ ପ୍ରତିଶତ ଚାଷୀ ଫସଲ ହେବା ପୂର୍ବ ଏବଂ ପରେ କୀଟନାଶକ ପ୍ରୟୋଗ କରୁଛନ୍ତି। ଏହା ସହିତ କିଛି ଚାଷୀ ଫସଲ ଧରିବା ବେଳେ କୀଟନାଶକ ବ୍ୟବହାର କରୁଛନ୍ତି। କିନ୍ତୁ କୀଟନାଶକ ପ୍ର‌ୟୋଗ କଲା ବେଳେ ୮୪ ପ୍ରତିଶତ ଚାଷୀ ସାବଧାନତା ଅବଲମ୍ବନ କରୁନାହାନ୍ତି କିମ୍ବା କିଟ୍‌ ପିନ୍ଧୁ ନାହାନ୍ତି। କୀଟନାଶକ ସିଞ୍ଚନ ବେଳେ ମାତ୍ର ୨୭ ପ୍ରତିଶତ ଚାଷୀ ଗ୍ଲୋବ୍ସ ଲଗାଉଛନ୍ତି। ୩୧ ପ୍ରତିଶତ ଚାଷୀ ଗାମୁଛା ଭିଡ଼ୁଛନ୍ତି ଏବଂ ୮ ପ୍ରତିଶତ ଚାଷୀ ପୂରା ପ୍ୟାଣ୍ଟ ଓ ସାର୍ଟ ଲଗାଉଛନ୍ତି। ରିପୋର୍ଟ କହୁଛି, ୪୨ ପ୍ରତିଶତ ଚାଷୀ ସାବଧାନତା ଅବଲମ୍ବନ କରିବାକୁ ଇଚ୍ଛୁକ ନାହାନ୍ତି। ୯ ପ୍ରତିଶତ ଚାଷୀ କିଟ୍‌ ପିନ୍ଧିବା ଆବଶ୍ୟକ ନୁହଁ ବୋଲି ଭାବୁଛନ୍ତି। ଫଳରେ ମାତ୍ରାଧିକ ଚାଷୀଙ୍କ ଶରୀର ସିଧାସଳଖ କୀଟନାଶକ ସଂସ୍ପର୍ଶରେ ଆସୁଛି। ଯଦ୍ବାରା ସେମାନେ ବିଭିନ୍ନ ରୋଗରେ ବର୍ଷ ତମାମ ପୀଡ଼ିତ ହେଉଛନ୍ତି।

Leave A Reply

Your email address will not be published.