ପୁଣି ବିବାଦରେ ରାହୁଲ ଗାନ୍ଧି, ଜାଣନ୍ତୁ କାହିଁକି

0

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଫ୍ଲାଏଙ୍ଗ କିସ୍‌ କରିଥିବା ଅଭିଯୋଗ ହୋଇଛି। ସଂସଦ ଭିତରେ ରାହୁଲଙ୍କ ଏପରି ଆଚରଣ ବିରୋଧରେ ତାତିଛି ବିଜେପି।

ଦଳର ମହିଳା ସାଂସଦମାନେ ରାହୁଲ ଗାନ୍ଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି। ସେମାନେ ବାଚସ୍ପତିଙ୍କୁ ଚିଠି ଲେଖି ରାହୁଲ ସଂସଦରେ ଉପସ୍ଥିତ ମହିଳା ସାଂସଦ ତଥା ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା କହିଛନ୍ତି।

ବିଜେପି ପକ୍ଷରୁ ବାଚସ୍ପତିଙ୍କୁ ଲେଖାଯାଇଥିବା ଚିଠିରେ ଦଳର ମହିଳା ସାଂସଦମାନେ ଦସ୍ତଖତ କରିଛନ୍ତି। ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦସ୍ତଖତ ମଧ୍ୟ ରହିଛି ।

ଏଥିରେ ସେମାନେ ଲେଖିଛନ୍ତି, କେରଳର ୱାୟନାଡରୁ ସାଂସଦ ହୋଇଥିବା ରାହୁଲ ଗାନ୍ଧି ଆଜି ଗୃହରେ କରିଥିବା ଅଶୋଭନୀୟ ଆଚରଣ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ। ଏହି ସଦସ୍ୟ ଜଣଙ୍କ ଅତ୍ୟନ୍ତ ଅଭଦ୍ର ଆଚରଣ ପ୍ରଦର୍ଶନ କରିଛନ୍ତି ଓ ଗୃହର ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରତି ଅନାବଶ୍ୟକ ଇଙ୍ଗିତ କରିଥିଲେ।

ସେ ଗୃହକୁ ସମ୍ବୋଧନ କରୁଥିବା ବେଳେ ସଦସ୍ୟ ଜଣଙ୍କ ଏପରି ଆଚରଣ ପ୍ରଦର୍ଶଦନ କରିଛନ୍ତି। ସଦସ୍ୟଙ୍କ ଏପରି ଆଚରଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦାବି କରୁଛୁ। ଏହା କେବଳ ଗୃହରେ ଉପସ୍ଥିତ ଥିବା ମହିଳା ସଦସ୍ୟଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇ ନାହିଁ, ବରଂ ପବିତ୍ର ଗୃହକୁ ଅସମ୍ମାନ କରିଛି ବୋଲି ବିଜେପି ସାଂସଦମାନେ ଚିଠିରେ କହିଛନ୍ତି।

ରାହୁଲ ଗାନ୍ଧି ମଣିପୁର ପ୍ରସଙ୍ଗ ଆଜି ନିଜ ଭାଷଣରେ ଉଠାଇବା ସହ କେନ୍ଦ୍ର ସରକାରଙ୍କୁ ପ୍ରବଳ ସମାଲୋଚନା କରିଥିଲେ। ଏହାକୁ ସ୍ମୃତି ଇରାନୀ କାଉଣ୍ଟର କରିଥିଲେ। ଏଥିସହ ଗୃହ ବାହାରେ ମଧ୍ୟ ସ୍ମୃତି ଇରାନୀ ଫ୍ଲାଏଙ୍ଗ କିସ୍‌ ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

Leave A Reply

Your email address will not be published.