ପୁରୀ (ଆମ ଟିଭି): ଦୀର୍ଘ ଦିନ ପରେ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ଖବର ମିଳିଛି । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ପବିତ୍ର ସ୍ଥାନଗୁଡ଼ିକୁ ଦର୍ଶନ କରିବାକୁ ହେଲେ ତୀର୍ଥଯାତ୍ରୀଙ୍କୁ ମାହାଲ ଦେବାକୁ ପଡ଼ିବ । ରୋଷଘର ଦର୍ଶନ, ରୋହିଣୀ କୁଣ୍ଡରୁ ଜଳ ସଂଗ୍ରହ, କୋଇଲି ବୈକୁଣ୍ଠ ଦର୍ଶନ, ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ, ନରେନ୍ଦ୍ରରେ ସଂକଳ୍ପ କରିବା ଆଦି ଉପରେ ଦେୟ ଆଦାୟ ହେବ । ଶ୍ରୀମନ୍ଦିର ପ୍ରଶାସନ ଏହି ସ୍ଥାନରୁ କରୋନା ପରେ ମାହାଲ ଆଦାୟ ବନ୍ଦ କରିଦେଇଥିଲା । ଏବେ ଶ୍ରୀମନ୍ଦିର ପ୍ରଶାସନ ଏହି ତୀର୍ଥ ଓ ପବିତ୍ର ସ୍ଥଳ ଗୁଡ଼ିକୁ ଟେଣ୍ଡର କରି ମାହାଲ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ଏସଓପି ତିଆରି କରିବ ।
ପୂର୍ବରୁ କୋଭିଡ୍ ଓ ଅନ୍ୟାନ୍ୟ କାରଣରୁ ଶ୍ରୀମନ୍ଦିରର ମାହାଲ ସବୁ ଶୁଳ୍କମୁକ୍ତ କରାଯାଇଥିଲା । ଏବେ ପୁଣିଥରେ ଶୁଳ୍କ ଲାଗୁ ପାଇଁ ନିଷ୍ପତ୍ତି ହୋଇଛି। ନରେନ୍ଦ୍ର ସଂକଳ୍ପ, ଲୁଣ-ପତ୍ର ମାହାଲ, ରୋଷଦର୍ଶନୀ ମାହାଲ, ରୋହିଣୀ କୁଣ୍ଡ, କୋଇଲି ବୈକୁଣ୍ଠ ଓ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନ ବାବାଦକୁ ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି।