କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଉପଯୁକ୍ତ କାରଣ ନଥିଲେ ଅଭିଯୁକ୍ତକୁ ହାତକଡି ଲଗାଯିବନି
ବେଙ୍ଗାଲୁରୁ(ଆମ ଟିଭି): କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଉପଯୁକ୍ତ କାରଣ ନଥିଲେ ଅଭିଯୁକ୍ତକୁ ହାତକଡି ଲଗାଇ ପାରିବନି ପୋଲିସ। ଅଭିଯୁକ୍ତକୁ ହାତକଡି ଲଗାଇ ସର୍ବ ସମ୍ମୁଖରେ ତାକୁ ପରେଡ୍ କରାଇବା ମାମଲାରେ ଅଭିଯୁକ୍ତ ବ୍ୟକ୍ତିକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଶୁଣାଇଛନ୍ତି କି ଅଭିଯୁକ୍ତକୁ ଏପରି ହାତକଡି ଲଗାଇପାରିବନି ପୋଲିସ । ହାଇକୋର୍ଟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏହା ମଧ୍ୟ ଆଦେଶ ଦେଇଛନ୍ତି କି କୌଣସି ବି ବ୍ୟକ୍ତିକୁ ଗିରଫ କରିବା ପାଇଁ ଦାୟିତ୍ୱରେ ଥିବା ସମସ୍ତ ପୋଲିସଙ୍କୁ ବଡି କ୍ୟାମେରା ଦିଆଯାଉ ଯାହା ଫଳରେ ସେମାନେ କାହାକୁ କେମିତି ଗିରଫ କରୁଛନ୍ତି ଏହା ରେକର୍ଡ କରିହେବ ।
ଜଷ୍ଟିସ ସୁରଜ ଗୋବିନ୍ଦରାଜ ନିଜ ଆଦେଶରେ କହିଛନ୍ତି ଅଭିଯୁକ୍ତ ବ୍ୟକ୍ତି, ବିଚାରାଧିନ କଏଦୀ ଏବଂ ଦୋଷୀଙ୍କ କେବେ ହାତକଡି ଲଗାଯିବ ସେନେଇ ନିର୍ଦ୍ଦେଶ ଜାରି କରାଯାଇଛି । କେବଳ ଅତି ଆବଶ୍ୟକ କ୍ଷେତ୍ରରେ ହିଁ ହାତକଡି ଲଗାଯିବ । ଯେବେ ହାତକଡି ଲଗାଯିବ ସେବେ ଗିରଫ କରିଥିବା ପୋଲିସ ଅଧିକାରୀ ହାତକଡି ଲଗାଇବାର କାରଣ ମଧ୍ୟ ଦର୍ଶାଇବାକୁ ହେବ । କୋର୍ଟ ଏହା ମଧ୍ୟ କହିଛନ୍ତି କି ତଳ ଅଦାଲତ ସମ୍ମୁଖରେ ହାଜର କରାଉଥିବା କୌଣସି ବିଚରାଧିନ କଏଦୀକୁ ହାତକଡି ଲଗାଇବା ପାଇଁ ପୋଲିସକୁ ତଳ ଅଦାଲତଙ୍କ ଅନୁମତି ନେବାକୁ ହେବ । ଯଦି ଏହି ଅନୁମତି ପାଇଁ ଆବେଦନ କରାଯାଉନି ତେବେ ବିଚାରାଧିନ କଏଦୀଙ୍କ ହାତକଡି ଲଗାଇବା ପରେ ସେହି ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।