ଭୁବନେଶ୍ୱର (ଆମ ଟିଭି): ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଏହାର ପ୍ରଭାବରେ ୮ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବା ବୋଲି ସୂଚନା ରହିଛି । ଆଜି ଓ ଆସନ୍ତାକାଲି ମୁଖ୍ୟତଃ ପ୍ରବଳ ବର୍ଷା ହେବା ନେଇ ଆଇଏମଡି ଆକଳନ କରିଛି । ଆକଳନ ଅନୁସାରେ ସୃଷ୍ଟ ଲଘୁଚାପ ଉତ୍ତର ଓଡିଶା ଓ ଉତ୍ତର ଛତିଶଗଡ ଆଡକୁ ଗତି କରିବ । ଆଜି ୧୬ରୁ ଅଧିକ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ଥିବା ବେଳେ ଆସନ୍ତାକାଲି ୧୩ରୁ ଅଧିକ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି ।
ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ସୃଷ୍ଟ ହୋଇଥିବା ଲଘୁଚାପ ପଶ୍ଚିମ ଆଡକୁ ମୁହାଁଇ କେନ୍ଦ୍ରୀୟ ଭାରତରେ ପହଞ୍ଚିବ । ଏହା ପରେ ବିଦର୍ଭରୁ ଏମପି ଓ ପୂର୍ବରେ ଓଡିଶା ସଂଲଗ୍ନ ବଙ୍ଗୋପସାଗର ଯାଏ ଲଘୁଚାପ ବଳୟ ଲମ୍ବିବ । ତେଣୁ ୯ ତାରିଖ ଯାଏ ବର୍ଷା ହୋଇପାରେ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି । ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।