ଭୁବନେଶ୍ୱର (ଆମ ଟିଭି): ପୁଣି ଟ୍ୱିଟ୍ କରି ବର୍ଷିଲେ ସାଂସଦ ଅପରାଜିତା । ମୟୁରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ଟ୍ୱିଟ୍ କରିଛନ୍ତି ଅପରାଜିତା । ଘଟଣା ହେଉଛି, ଗତକାଲି ଏକ ଆଦିବାସୀ ମାରାଥନ ଦୌଡ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ । ଯେଉଁଥିରେ ଜିଲ୍ଲାପାଳ ଏବଂ ଏସପି ମଧ୍ୟ ମଞ୍ଚରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ହେଲେ ଉଭୟ ସରକାରୀ ବାବୁଙ୍କ ଟି-ସାର୍ଟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାକୁ ନେଇ ବିବାଦ ଦେଖାଦେଇଛି । ସାଂସଦ ଅପରାଜିତା ଷଡଙ୍ଗୀ ଏହାକୁ ନେଇ ଏକ ରିପୋଷ୍ଟ ଟ୍ୱିଟ୍ କରିଛନ୍ତି ।
ପ୍ରଥମେ ଜଣେ ଟ୍ୱିଟ୍ କରିଥିଲେ ଯେଉଁଥିରେ ଜିଲ୍ଲପାଳ ଏବଂ ଏସପି ନବୀନଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଥିବା ଫୋଟା ଜାରି କରିଥିଲେ । ଏହାପରେ ଅପରାଜିତା ସଂପୃକ୍ତ ବ୍ୟକ୍ତିର ଟ୍ୱିଟକୁ ରିପୋଷ୍ଟ କରି କହିଛନ୍ତି ଏହା ଦୁର୍ଭାଗ୍ୟଜନକ । ସରକାରୀ ଅଧିକାରୀ ନିୟମ ଉଲ୍ଲଙ୍ଘନ କରୁଛନ୍ତି ବୋଲି ସେ କହିଛନ୍ତି । ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତୀ ସହିତ ଶାସକ ଦଳ ବିଜେଡିର ସୁପ୍ରିମୋ ଅଟନ୍ତି ।